(ଦ୍ୱିଜ ପଦ୍ମନାଭ— ରାଗ ଆନନ୍ଦଭୈରବୀ, ତାଳ ରୂପକ)
ଆଜ ଚଳ ତୁ କୁଞ୍ଜଧାମ ଗୋ ରାଧିକେ
ସାଜ ତନୁକୁ ମାନ ବରଜି ଗୋ । ଘୋଷା ।
ବରଜପୁର ସୁନ୍ଦରୀ ବରଜ
ବରସୁନ୍ଦର ବଦନ ନୀରଜ
କୁନ୍ଦରୁଚିର ଦନ୍ତିନୀ ତବ
କାନ୍ତରେ ଅତି ଶାନ୍ତ ସରଜ । ୧ ।
ଜୀବଧନକୁ ଅନା ଥରେ ରେ ମୋହିନୀ
ମାଧବ ଦୁଃଖ ମୁଁ କି କହିବି ତୁ ନ ଜାଣୁ ରେ ।
ନବୀନ ଘନ ତମାଳ ଶ୍ୟାମ
ଗାୟନ କରେ ବସି ତୋ ନାମ
ବାମ ନୁହଁରେ ବାମନୟନୀ
କାମ ପୂର୍ଣ୍ଣଦାୟିନୀ ସଖୀ ଆଜ । ୨ ।
ଜାଣୁ ରତନ ସୁତନୁ ଜାଣୁ ରେ ମୋହିନୀ
ମୋହନ ଦୁଃଖ ମୁଁ କି କହିବି ତୁ ନ ଜାଣୁ ରେ ।
ପାର୍ବତୀବର ପର ପ୍ରତାପ
ତର୍ଜଇ ଧରି କୁସୁମ ଚାପ
ଖର୍ବ ଖର୍ବ ମାରଇ ଶର
ତାର ହରି କି ମାରେ ଅତନୁ । ୩ ।
ଆନ ନ ଘେନି ମାନ ମୋ ଗିର ରେ ସୁନ୍ଦରୀ
ଇଙ୍ଗିତ ନୁହେଁ କହୁଛି ନିକର ଗୋ ।
ମନ୍ଦ ମଧୁର ମୁରଲୀ ତାନ
ଅଶନ ବସନ ବିଷ ସମାନ
ଭାବି ନିରତେ ତୋହରି ନାମ
ରଙ୍ଗରେ ତୋଷ ନାଗରବର । ୪ ।
ଶୁଣି ସଖୀର ଏସନ ଗିର ସେ ଶ୍ରୀମତୀ
ତେଜି ବିରସ ହୋଇ ସୁବେଶ ସେ ।
ଚପଳଗାମିନୀ ଅତି ତରଙ୍ଗ
ସତ୍ୱରେ ମିଳେ ମୋହନ ସଙ୍ଗ
କୁଞ୍ଜେ କି ଆଜି ଏ ମତ୍ତଭୃଙ୍ଗ
ପଦ୍ମନାଭ ଏ ରସେ ବଦତି । ୫ ।