(କବିସୂର୍ଯ୍ୟ— ରାଗ ମରୁଆ, ତାଳ ଏକତାଳି)
ଆଜ ଏ କି ଗୁମାନ ରେ ଚନ୍ଦ୍ରାନନା
ଦେଖି ନାହିଁ ସ୍ୱପନରେ । ଘୋଷା ।
ସୁନ୍ଦର ରଦବାସ ମନ୍ଦାର ଦଳେ ହାସ
-କୁନ୍ଦକୁ ପରକାଶ କୁନ୍ଦନାଙ୍ଗୀ ମୋ ଧନି
(ପଡ଼ି)
ତୁ ସିନା ମୋର ପ୍ରାଣ ରମଣୀଗଣ ରାଣ
ରାଣ ଅଛିଟି ମାଣବକ ମୃଗାକ୍ଷୀ ଜାଣ
ଦାରୁଣ ସ୍ମରରାଣ ଶାଣଦିଆ ତୀକ୍ଷଣ
ବାଣ ଗଣରେ ନିଶ୍ଚେଁ ନେବଟି ଏ ପରାଣ । ୧ ।
ଚାରୁ ଚମ୍ପକଦେହାରେ ଚନ୍ଦ୍ରାନନା
କାହୁଁ ଶିଖିଲୁ ଏହାରେ
ଅଶ୍ରୁ ପ୍ରସରିବାର ମହୀକି ଚିରିବାର
ଆଜନ୍ମ ପରିଚାର ସଂସାର ସାରିବାର । ୨ ।
ମର୍ମ୍ମ ଗଲାଟି ଫାଟିରେ ଚନ୍ଦ୍ରାନନା
ମାର ମାର୍ଗଣ ଧାଟିରେ
ବନ୍ଧୁଆ ସରିଲିଟି ତୋ କୀର୍ତ୍ତି ପରିପାଟୀ
ରୋପିବାର ଲତାଟି ମୂଳୁଁ ନ ପକା କାଟି । ୩ ।
ଦୋଷ ଦେଖି ତୁ ଦଣ୍ଡରେ ଚନ୍ଦ୍ରାନନା
ମଣ୍ଡନା କର ଗଣ୍ଡରେ
ବାହୁପାଶେ ନିତାନ୍ତେ ବାନ୍ଧିବା ବସନାନ୍ତେ
ଓଷ୍ଠ ବିଦାରି ଦନ୍ତେ ଭୁଷ କରଜ କୁନ୍ତେ । ୪ ।
ଆରମ୍ଭିଲେ ତୁ ରୁଷାରେ ଚନ୍ଦ୍ରାନନା
ଭରସା କେ ମୋ ରସାରେ
ତେଜିଲେ ତୁ ମୋ କୋଳ କେତେ ମୋ ଧୃତି ବଳ
ସହେ କି କରବାଳ କେଳି କମଳଦଳ । ୫ ।
ଶ୍ୟାମ ବିନୟ ଭାଷାରେ ଚନ୍ଦ୍ରାନନା
ମନ୍ଦ ମଧୁର ହସା ରେ
ଭାଷିଲେ ପ୍ରିୟବାଣୀ ରସେ ସେ ସୁଲକ୍ଷଣୀ
ରସିଲେ ମନ ଜାଣି ଶ୍ରୀ ଛୋଟରାୟ ଭଣି । ୬ ।