(ବନମାଳୀ— ରାଗ ଶଙ୍କରାଭରଣ, ତାଳ ଆଠତାଳି)
ଆଲୋ ପରାଣ ସହୀ
ତୁଚ୍ଛାକୁ ସିନା ଏ ରୋଷ ଅଛି ବହି । ଘୋଷା ।
କଲେ ମୁଁ ନିରାଶ ରାସବିହାରୀଙ୍କି
ଜାଣି ତା ହୁଅଇ ଦୀନ
ଜଗି କେତେ କରେ ଦୈନ୍ୟ
ମୋତେ ଚାହିଁ ପ୍ରତିଦିନ
ସଖୀ ଏ କି । ୧ ।
ବଢ଼ାଉଛି ମୁହିଁ ଯେତେ ଅନାଦର
ବଢ଼ାଇଲା ମନେ ତାର
ସବୁ ଏ ପ୍ରେମ ସଞ୍ଚାର
ପୂରୁବୁଁ ଅଧିକେ କଲା ଆଦର
ସଖୀ ଏ କି । ୨ ।
ନାନା ଗାଳି ଦେଲେ ମଣେ ପରିହାସ
ତେଜ ମୁଖ ପରସନ୍ନ
କରଇ ତା ଦରଶନ
ପ୍ରଣୟ କୋପ ଏ ବୋଲି ହୁଏ ତୋଷ
ସଖୀ ଏ କି । ୩ ।
ଦୂରୁ ଚାହିଁ ଅନ୍ତର ମୁଁ ହେଲି ସଖୀ
ଜାଣଇ ମୋହର ଲୋଭ
ବଢ଼ିବାକୁ ଏ ଆରମ୍ଭ
କରେ କରୀନ୍ଦ୍ରଗମନା ହୁଏ ସୁଖୀ
ସଖୀ ଏ କି । ୪ ।
ଦେଲେ ଅପବାଦ ଅସହଣୀମାନେ
ସେ ତ ଅତ୍ୟନ୍ତ ଲମ୍ପଟ
ମଣଇଁ ହେଲି ମୁଁ ଶ୍ରେଷ୍ଠ
ଏଥି ମୋ କି ଦୋଷ ନ ବିଚାର ମନେ
ସଖୀ ଏ କି । ୫ ।
ଶୁଣ ପ୍ରିୟ ଆଳି ବୋଲେ ଗଲା ଜଣା
ଆମ୍ଭେ ତା ନ ଦେଖୁଁ ଦିନେ
ନ ଶୁଣୁ ତାହା ଶ୍ରବଣେ
ବନମାଳୀକି ପରତେ ପ୍ରତାରଣା
ସଖୀ ଏ କି । ୬ ।