(କବିସୂର୍ଯ୍ୟ— ରାଗ ମୁଖାରୀ, ତାଳ ଆଠତାଳି)
ଅନା ଅନା ରେ ମୋତେ
ବସୁଧାକୁ ଅନାଅ ନା ରେ
କେଉଁ ଖଳଜନ କହିଛି କି ମନ
ମୋହନା କିଛି ମୋହ ନାଁ ରେ । ଘୋଷା ।
ଖଳଭାଷିତକୁ ସରସ ଚିତ୍ତକୁ
ଆଣିବୁ ନାହିଁ ନବୀନା ରେ
ଘେନ ତ କ୍ଷିତିରେ କେ ରସେ ରୀତିରେ
ସୁନ୍ଦର କୁନ୍ଦନ ବିନା ରେ । ୧ ।
ମୋ ଅଙ୍କ ପର୍ଯ୍ୟଙ୍କ ଛାଡ଼ି ହରିଣାଙ୍କ
ବଦନା ତଳେ ବସ ନା ରେ
ଇନ୍ଦୁକର କାନ୍ତି ପଟଳୀ ନିନ୍ଦକ
କୁନ୍ଦକଳିକା ଦଶନା ରେ । ୨ ।
ଆଳିଏ ଥିବାରେ ଚାଳିଦେଲି ଯାହା
ଦଶନାମ୍ବରେ ରସନା ରେ
କ୍ଷିତିକି କରଜେ ମୋ ବନ୍ଧୁ ଚିରୁ ଯେ
ଏତିକି ମୋ ଦୋଷ ସିନା ରେ । ୩ ।
ପରଖି ଦେବାର ଦୋଷୀକି ସୁନ୍ଦର
ନ ରଖି ମନେ କୁହନା ରେ
ଅସ୍ତ କରି ବୃଥା ସଉଭାଗ୍ୟ କଥା
ମସ୍ତକ ପୋତି ରହ ନା ରେ । ୪ ।
ଆଦର ଚାଦର ପରି ପରିଜନେ
ଆଦର ଊଣା କର ନା ରେ
କମ୍ପି କଉତୁକ ଝଲକା ମଣ୍ଡନା
ଚମ୍ପକ ବରବରନା ରେ । ୫ ।
ହରି ଚାଟୁ ଘେନି ହେଲେ ଅମାନିନୀ
ପରିଣତ ଚନ୍ଦ୍ରାନନା ରେ
ଅଷ୍ଟଦୁର୍ଗ ଲେଖାଧିପ ହେଲେ ଲେଖା
ତୁଷ୍ଟ ପ୍ରମୁଦିତ ମନା ରେ । ୬ ।