(ରାମକୃଷ୍ଣ କବିଚନ୍ଦ୍ର— ରାଗ ପ୍ରାନ୍ତବରାଡ଼ି, ତାଳ ଆଡ଼ତାଳି)
ଆନେ ପରା ନ କର ପ୍ରୀତି
କହ ଯେ ନିତି । ଘୋଷା ।
ଏହି ଦେହେ ଦେଇ କର
କେତେ ଯେ ନିୟମ କର
ଦେଖଟି ଥରେ ମୁକୁର
ଲାଗିଛି କାହା ସିନ୍ଦୂର । ୧ ।
ତୁମ୍ଭେ ଯେ ବଞ୍ଚକ ନୁହଁ
ଜାଣ କେତେ ପରି ସ୍ନେହ
ଗଣ୍ଡେ ଯେ ଯାବକ ବହ
ଦେଖି ସହେ କାହା ଦେହ । ୨ ।
ହେଉ ମୋ ଆଶା ଭଞ୍ଜନ
ହେଲା ତା ମନ ରଞ୍ଜନ
ସୁରଙ୍ଗ ଓଷ୍ଠେ ରଦନ
କାହୁଁ ହେଲା ଅରଜନ । ୩ ।
ଅଙ୍ଗୁ କୁଙ୍କୁମ ଚନ୍ଦନ
ମୋହୁଛି ମନ ନୟନ
ପିନ୍ଧିଛ କାହା ବସନ
ଭଲ କରି ଥରେ ଚିହ୍ନ । ୪ ।
ସେ ସୁନ୍ଦର ଅଳଙ୍କାର
ପ୍ରୀତି ପ୍ରୀତିକି ତୁମ୍ଭର
ମଣ୍ଡି କରରୁହ ଗାର
କରିଛ କେତେ ସୁନ୍ଦର । ୫ ।
ଭାଷେ ରାମକୃଷ୍ଣ ତାର
ପ୍ରେମକୁ ମୋର ଜୁହାର
ଯୋଡ଼ି ମୁଁ ମାଗୁଛି କର
ମୋ ପରି ତାକୁ ନ କର । ୬ ।