(ଅଭିମନ୍ୟୁ ସାମନ୍ତସିଂହାର— ଯତି)
ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି ।
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ହେ ।୧।
ଆଦି-ଅନାଦି କାରଣ ନିର୍ଗୁଣ ସଗୁଣ ।
ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ ହେ ।୨।
ଇଶ୍ଵର ସ୍ଵତନ୍ତ୍ର ସ୍ଵୟଂ ଭଗବାନ ତୁହି ।
ଇଚ୍ଛାମୟ ସର୍ବଶକ୍ତି-ବନ୍ତ ତତ୍ତ୍ଵ ବିହି ହେ ।୩।
ଈଶ ଶେଷାଦି ସେବକ ସେବ୍ୟ ଏକା ତୁହି ।
ଇଷ୍ଟ ଅଭୀଷ୍ଟଦ ଦୟାନିଧି ଭାବଗ୍ରାହୀ ହେ ।୪।
ଉତ୍ପତ୍ତି ପାଳନାନ୍ତ ତୋ ଭ୍ରୂଭଙ୍ଗୀ ବିକାରେ ।
ଉତପ୍ଳୁତ ତନ୍ତୁବାୟ ସୂତ୍ର ପରକାରେ ହେ ।୫।
ଊର୍ଣ୍ଣନାଭିବତ ଖେଳୁ ଇଚ୍ଛାଶକ୍ତି ବଳେ ।
ଉଦ୍ଭବ ହୋଇ ତୁ ଧର୍ମ ସ୍ଥାପୁ କାଳେକାଳେ ହେ ।୬।
ଋକ ଯଜୁ ସାମ ବହୁ ଶ୍ରୁତି ଶାସ୍ତ୍ର ଭେଦେ ।
ରୂପ ଗୁଣ ଯଶ ଅଛି ଅଶେଷ ସମ୍ପାଦେ ହେ ।୭।
ରୁଚିର ଚରଣ ନଖ ଛଟାର ମହିମା ।
ରୁକ୍ଷ ସଂଖ୍ୟା କଳ୍ପେ କଳ୍ପି ନ ପାରିଲେ ସୀମା ହେ ।୮।
ଲୁବ୍ଧକ ତାରକ ବ୍ରହ୍ମା ହର ଗର୍ବ ହର ।
ଲୁଟାଇ ପାର କୃପାରେ ମୁକତି ଭଣ୍ଡାର ହେ ।୯।
ଲୁଠ ଅଳି କରି କୋଳି ପାଇଁ ଯଶୋଦାଙ୍କୁ ।
ଲୋଳୁପ ଗୋପୀ ବଦନାମ୍ବୁଜ ପୀୟୂଷକୁ ହେ ।୧୦।