(ନାରୁସୁ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)
ଆରେ ରାସରଙ୍ଗିନୀ ତୁ ଆସ କୁଞ୍ଜକୁ ଯେ
କେଶବ କହିଛନ୍ତି ରେ
ରୋଷ କରି ତୁହି କିସ ପାଞ୍ଚି ମନେ
ଭୂଷଣ ଅଟେ କି ବିଷ ମଣୁ ତାରେ ।
(ପଡ଼ି)
ଘେନ ମୋହର ଗିର ଧନମଣି ତୁ ମୋର
ଘନଶ୍ୟାମ ପୀରତି ଭିନ୍ନ ଆଉ ନ କର
ଘନକେଶୀ ତୁ ଶୁଣ କାନନେ ବଂଶୀଧର
ଧ୍ୟାନ କରି ତୋ ରୂପ ମନ ତାଙ୍କ ଅସ୍ଥିର । ୧ ।
ବାଳାମଣି ତୁହି ହେଳା ନ କର ଗୋ
କଳାକାହ୍ନୁର ସ୍ନେହରେ ।
କଳାପକୁ ଛାଡ଼ ବଳାଇ କହୁଛି
ବିଳାପ କରନ୍ତି କଳାବତୀ ତୋରେ ।
(ପଡ଼ି)
ଦଣ୍ଡ ତାକୁ ନ ଦିଅ ଖଣ୍ଡ ମାରର ଭୟ
ଗଣ୍ଡମଣ୍ଡନ ତେଜି ତୁଣ୍ଡରେ ରାଜି ହୁଅ
ଷଣ୍ଢମରାକୁ ରାଧେ ଗଣ୍ଡରେ ଚୁମ୍ବ ଦିଅ
ପୁଣ୍ଡରୀକାକ୍ଷ ହସ୍ତେ ପିଣ୍ଡରୁ ପାପ ଦହ । ୨ ।
ଗଜଗମନା ତୁ ତେଜ ଏ ମାନକୁ
ମୁଁ ଜଣାଉଛି ଛାମୁରେ ।
ବ୍ରଜମୋହନଟି ଭଜଇ ତୋ ନାମ
ରଜନୀ ଦିବସେ ହେଜଇ ମନରେ ।
(ପଡ଼ି)
ମତି କରିଛି ଭିନ୍ନ ଜ୍ୟୋତି ଦିଶଇ ଆନ
ଅତି ବ୍ୟାକୁଳ ହୋଇ କ୍ଷିତି ପରେ ଶୟନ
ଦୂତୀ ବୋଲି ଡାକନ୍ତେ କତିକି ମୁଁ ଗମନ
ଭୀତି ପାଇଲି ସଖୀ ଦେଖି ତା ରୀତିମାନ । ୩ ।
ନନ୍ଦନନ୍ଦନ ସେ କାନ୍ଦକାନ୍ଦ ହୋଇ
କନ୍ଦର୍ପ ଶର ଘାତରେ ।
ଚନ୍ଦନ କସ୍ତୁରୀ ଗନ୍ଧ ପୁଷ୍ପ ଆଦି
ମନ୍ଦ ପରି ମଣେ ମନ୍ଦରଧରା ଗୋ ।
(ପଡ଼ି)
ଏକା ବସିଣ ସେହି ଡକା ପାରି ଡାକଇ
ରକ୍ଷା କର ଗୋ ରାଧେ ବଙ୍କା ନୟନେ ଚାହିଁ
ଦେଖା କରିବୁ ଯେବେ ପାଖରେ ଥିବି ମୁହିଁ
ଦକା ନ କର ରାଧେ ବକାଚିରାକୁ ତୁହି । ୪ ।
ଆଳି ବଚନେଣ ଭାଳିଣ ଶ୍ରୀମତୀ
ବଳିଲା ଚିତ୍ତ କୃଷ୍ଣରେ ।
ପାଳି ଦୂତୀ ଗିର କେଳିକି ଉଚ୍ଚାଟ
ତୋଳି ଜାଇ ଯୂଇ ମଲ୍ଲୀ ମାଳତୀରେ ।
(ପଡ଼ି)
ମିତଣୀ ସଙ୍ଗତରେ ହିତରେ ଚଳିଗଲେ
ଚିତ୍ତକୁ ନିବେଶିଣ ପୀତବାସ ପୟରେ
ଯତନରେ ନାରୁସୁ ଗୀତ ରଚନା କରେ
ନିତ୍ୟ ନିତ୍ୟ ଶ୍ରୀହରି ସନ୍ତତ ହୃଦୟରେ । ୫ ।