(କବିସୂର୍ଯ୍ୟ— ରାଗ ପୁନ୍ନାଗ, ତାଳ ଯତି)
ଆସ ଆସ ସଖି ଯିବା ବାସକୁ ଗୋ । ଘୋଷା ।
ଆଉ ରହିଲେ ଏ ବନେ ଅସତୀ ବୋଲିବେ ଜନେ
ଅବଶ୍ୟ କରିବେ ଉପହାସକୁ ଗୋ । ୧ ।
ଅଖିଳ ଲାବଣ୍ୟ ଶିରୀ ଆଉ କି ଆସିବେ ହରି
ଅରୁଣ ଭଜିଲା ପରକାଶକୁ ଗୋ । ୨ ।
ଆମ୍ଭ ଅବସ୍ଥା ସଜନୀ ଆଗରେ ରଖି ପଦ୍ମିନୀ
ଅଧରେ ଧରିଛି ଦରହାସକୁ ଗୋ । ୩ ।
ଆନ ନାଗରୀକୁ ଧରି ଆରମ୍ଭିଲେ ନିଶ୍ଚେ ହରି
ଅନଙ୍ଗ ରଙ୍ଗରେ ଅଭିଳାଷକୁ ଗୋ । ୪ ।
ଆର୍ତ୍ତି କହେ ଜଗଦ୍ଦେବ ଆଉ କି ସତେ ଆସିବ
ଅଭିନବ କୁଞ୍ଜବନ ରାସକୁ ଗୋ । ୫ ।