Asuchanti Brajabasi Dhire Dhire Chali Chali

ଆସୁଛନ୍ତି ବ୍ରଜବାସୀ ଧୀରେ ଧୀରେ ଚାଲି ଚାଲି

(Ramachandra Deba— Raga Khambaja, Tala Jhula)
(ରାମଚନ୍ଦ୍ର ଦେବ— ରାଗ ଖମ୍ବାଜ, ତାଳ ଝୁଲା)

ଆସୁଛନ୍ତି ବ୍ରଜବାସୀ
ଧୀରେ ଧୀରେ ଚାଲି ଚାଲି ଗୋ । ଘୋଷା ।

ଦିନ ଶେଷ ସମୟରେ
ରହି ସୁରଭୀ ପଛରେ
ବଜାଉଛନ୍ତି ମୁରଲୀ
ଧୀରେ ଧୀରେ ଚାଲି ଚାଲି ଗୋ । ୧ ।

ଇନ୍ଦ୍ରନୀଳମଣି ତନୁ
ପରିହାସ ଜାତ ମନୁ
ଝୁଲନ୍ତି ବରହୀ ଚାଲି
ଧୀରେ ଧୀରେ ଚାଲି ଚାଲି ଗୋ । ୨ ।

ଦେଖିବା ସଜନୀ ଚାଲ
ନୋହିବାଟି କଲବଲ
ଫିଙ୍ଗିବେ ସେ ନେତ୍ର ଭାଲି
ଧୀରେ ଧୀରେ ଚାଲି ଚାଲି ଗୋ । ୩ ।

ନାଗେଶ୍ୱର ନାଦ ପରି
କଟୀ କିଙ୍କିଣୀକି କରି
ଖେଳାନ୍ତି ଅହି ଭ୍ରୂବଲ୍ଲୀ
ଧୀରେ ଧୀରେ ଚାଲି ଚାଲି ଗୋ । ୪ ।

ରାମଚନ୍ଦ୍ର ଦେବ ଭଣି
ଭାଷଇ କେଉଁ ରମଣୀ
କଲେ କେତେ ଭଙ୍ଗୀ କାଲି
ଧୀରେ ଧୀରେ ଚାଲି ଚାଲି ଗୋ । ୫ ।