(କବିସୂର୍ଯ୍ୟ— ରାଗ ଦେଶପାଳ, ତାଳ ତ୍ରିପଟା)
ବଳାନା ସ୍ନେହ କଳାନାଗରେ
ସରିଯିବୁଟି ରଜନୀ ଜାଗରେ । ଘୋଷା ।
ଦେଖୁଛୁ ତ ଗର୍ବ କୁଟିଳ ଚାଲି
ଭୁଜଙ୍ଗ ପୁଙ୍ଗବ ମୁଁ ସିନା ବୋଲି । ୧ ।
ତାହାର ଅତି ପ୍ରୀତି କଳାପୀରେ
ତହୁଁ ବହଇ ତା କଳାପ ଶିରେ । ୨ ।
ମୁରଲୀଧ୍ୱନି ଦମ୍ଭ ଗରଜନ
କେ ସହିବ ନୋହି ମୋହିତ ମନ । ୩ ।
କଲେ ତା ଭୋଗେ ଅଭିଳାଷ ଲବ
ଅଣ୍ଟିବ ନାହିଁଟି ବନପଲ୍ଲବ । ୪ ।
ଘାରି ହୋଇ ସରିଯିବୁ ସଦନେ
ବଂଶୀଦେବ ଯେବେ ବଂଶୀବଦନେ । ୫ ।
କବିମାର୍ତ୍ତଣ୍ଡ ରାୟଗୁରୁ କହେ
ଗଜ ଚରମେ କାହା ସ୍ନେହ ନୋହେ । ୬ ।