(ବନମାଳୀ— ରାଗ ବିଭାସ, ତାଳ ଆଡ଼ତାଳି)
ବଲ୍ଲଭୀ ଲଭିଛି ଆଜ ବୀରବେଶ ରେ । ଘୋଷା ।
କପାଳ ସାରଙ୍ଗ ତାର ଭୂରୁଗୁଣ ବେଶ ରେ
ନେତ୍ର ପଞ୍ଚଶର ସନ୍ଧି ଧୈର୍ଯ୍ୟ କରେ ନାଶ ରେ । ୧ ।
ଶୋଭା ପାଉଅଛି ତାର ତୋରା ଚନ୍ଦ୍ରହାସ ରେ
ନିତମ୍ବ ଚଳଇ ପାଇ ନାହିଁ ରତି ରସ ରେ । ୨ ।
ସୁମନ ଗଭା ପାଗ ବହିଛି ଶିରଦେଶରେ
ଜାନୁ ଯୁଗ ନିବିଡ଼େ ବାନ୍ଧିଛି ଝୀନ ବାସରେ । ୩ ।
ଝୁଣ୍ଟିଆ ନାଗରା ବଜାଉଛି ଗତି ରସରେ
ଅଞ୍ଚଳ ଶେଷ ପତାକା ଉଡ଼େ ମହୀଦେଶରେ । ୪ ।
ମନସିଜ ମୋହବଶ ଫଳଦାନେ ତୋଷରେ
ମନକୁ ରସାଇ ବୋଲେ ବନମାଳୀ ଦାସରେ । ୫ ।