(ଗୋପାଳକୃଷ୍ଣ— ରାଗ ବିଲାହାରୀ, ତାଳ ଝମ୍ପା)
ଜନେ ଜାଣିଲେନି ବୋଲି ତୁ ଏକା ନ ଜାଣୁ
ବଞ୍ଚାଇ ସଜନୀ ମୋତେ ବଚନକୁ ଜିଣୁ । ଘୋଷା ।
ନବ ନୀରଦକୁ ଦେଖି ଆଖିର ପଲକ ରଖି
ଏପରି ଛବି କେ ଅଛି ବୋଲି ଯାହା ଭଣୁ । ୧ ।
ଥରକୁ ଥର କାନନ ବାଟକୁ ଅନାଉ ଦିନ
ଅଣ୍ଟୁନାହିଁ ଅପରାହ୍ନ କାଳ ନ ହେଉଣୁ । ୨ ।
ଲୁଚିକରି ସକୂଟରେ ବଞ୍ଚି ରାତି ତା ପାଶରେ
ଲେଉଟି ଯିବାର କାକ ପିକ ନ ଡାକୁଣୁ । ୩ ।
କରିକି ଏତେ ସାହାସ ନୂଆ କିଶୋର ବୟସ
ଆଜକୁ ବାହାରି ନାହିଁ ଭୟରେ ପ୍ରାଙ୍ଗଣୁ । ୪ ।
ଏ ବ୍ରଜେ ଦୋଷ ଦେବାକୁ ଅଛି କେ ଆଉ କାହାକୁ
ଗୋପାଳକୃଷ୍ଣ ଭଣେ ତୁନି ହୋ କେହି ନ ଶୁଣୁ । ୫ ।