(କବିସୂର୍ଯ୍ୟ— ରାଗ କେଦାର, ତାଳ ଆଡ଼ତାଳି)
ବନ୍ଧୁ ଅଛି କି ଲୋଡ଼ା
ନୂଆ ନିଆଳୀ ନିର୍ମିତ ଚୂଡ଼ାରେ । ଘୋଷା ।
ପରମାଧିକାରେ ଫରମାସୁ ଥିବୁ
ମୋଠାରେ ବରଜି ବ୍ରୀଡ଼ା ରେ
ମନ ଥାଇ ଲାଜଭର ବଶୁଁ ବ୍ୟାଜ
ଛନ୍ନ କଲେ ବଡ଼ ପୀଡ଼ା ରେ । ୧ ।
ନ ପାଇବା ସୁଖ ମୋ ଆଗେ ଶ୍ରୀମୁଖ
ନୋହିଲେ ସଙ୍କୋଚ ଛଡ଼ା ରେ
ଚିତ୍ତେ ଥାଉ ମୁଁ ତୋ ସଙ୍ଗୀତ ଜଗତି
ବାହୁଡ଼ା ବିଜେ ପାହାଡ଼ା ରେ । ୨ ।
ଇଚ୍ଛା ମାଫିକେ ତୋ ବିଛଣା ବନାଇ
ଦିଆଇବି ହୋଇ ଛିଡ଼ା ରେ
ଅଣା ଅଛିକି ବହୁତ ବାସନ୍ତିକ
ବାସ କୁସୁମ ପାଖୁଡ଼ା ରେ । ୩ ।
ସଇରିନ୍ଧ୍ରକାକୁ ସହି କହୁଥା ତୁ
ଆଜ ହୋଇବ ନିବିଡ଼ା ରେ
ଅଂସ ଅବତଂସ ଲହସା ଖୋସା କି
କି ବେଣୀ ଲୋଟଣୀ ଜୂଡ଼ା ରେ । ୪ ।
ଅଳପକେ ଯେ ହେଉଥାଏ ତରୁଣ
ତରୁଣୀଙ୍କ ଘରବୁଡ଼ା ରେ
ଧନ ଚିନ୍ତିଲେ ଆମ୍ଭର ବଶମ୍ବଦ
ହେବ ସେ ସ୍ମର ବାପୁଡ଼ା ରେ । ୫ ।
ନ ମାନିବ ଯେବେ ଦଣ୍ଡକେ ମହତ୍ତ୍ୱ
ବନାଇ ଦେବା ଦିକଡ଼ା ରେ
ଜଗଦ୍ଦେବ ଗୀତେ ବୋଲେ କର ମୋତେ
ଅଳପ ତଳପଗଡ଼ା ରେ । ୬ ।