(କବିସୂର୍ଯ୍ୟ— ରାଗ ଗୁଜ୍ଜରୀ)
ବନ୍ଧୁ ଅଦୋଷେ ରସ ନା ରୋଷେ
ଧରୁଛି ପଙ୍କଜ ପାଣି । ଘୋଷା ।
ଜନମରୁ ବୀଣା ବଚନୀ ମୁଁ ଊଣା
ଜନ କି ନ ଜାଣୁ ତାହା ରେ
ସ୍ମର ଶର ଧାରେ ସରିଲିଟି ବାରେ
ଧନ ତୁ ନ ବୋଲୁ ଆହା ରେ । ୧ ।
କରିଥିଲୁ ପରା ମୋତେ ଜବାଧରା
ଜଣେ ତୋ ଚରଣ ଦାସୀ ରେ
ଟିକିଏ ବିକଳା ହୋଇ ନାହୁଁ କଳା
କୁନ୍ତଳା ନୂଆ ବୟସୀ ରେ । ୨ ।
ଅରଜିଛି ତୋତେ ବନ୍ଧୁ କେତେ କେତେ
ଜନ୍ମେ ତପ କରି କାଶୀରେ
ତୁ ଚିତ୍ତ ପଥର କଲେ ତ ଏଥର
ଭଗାରିଏ ଦେବେ ହସି ରେ । ୩ ।
ସଖୀବନ୍ଧା ବେଣୀ ଫେଡ଼ି କୋଳେ ଆଣି
ନ ଦେଲେ ମୁଁ ଖୋଷା ଖୋସି ରେ
କୃପା ଥାଉଁ ଚିତ୍ତେ ତୁହି ପରା ମୋତେ
ଗେଲେ ବସୁଥାଉ ରୁଷି ରେ । ୪ ।
ତେଡ଼େ ବଡ଼ ସ୍ନେହ କି ଦୋଷରୁ କହ
ତୋ ମନୁ ଯାଉଛି ଖସି ରେ
ଜଗଦ୍ଦେବ ବୋଲେ ଶ୍ୟାମ ଜଣାଇଲେ
ପଡ଼ି ଦୁଃଖ ଜଳରାଶିରେ । ୫ ।