(କବିସୂର୍ଯ୍ୟ— ରାଗ ଧନାଶ୍ରୀ, ତାଳ ଏକତାଳି)
ବନ୍ଧୁ କଲି କି ଦୁର୍ବିଚାରକୁ ରେ
ବର୍ଜିଲି ଖଣ୍ଡ ଅର୍ଜ୍ଜି ଖାରକୁ ରେ
ଅକ୍ଷରେ ନ ଜାଣିବା ମୂରୁଖ ପରି ନିଜ
ବକ୍ଷରେ ଲକ୍ଷ୍ୟ କଲି ଶରକୁ ରେ । ଘୋଷା ।
ସମ୍ପାଦି ଗୁଞ୍ଜ ଆଣି ମୁଁ ଫିଙ୍ଗିଦେଲି ପାଣି
ବନ୍ତ ବର୍ତ୍ତୁଳ ମୋତିହାରକୁ ରେ
ଚଢ଼ାଇଦେଲି ଚାରୁତର ଚନ୍ଦନ ତରୁ
ମୂଳେ କର୍କଟୀଲଟୀ ଛାରକୁ ରେ । ୧ ।
ଶ୍ୱପଚ ଗ୍ରାମ ମଝି କୂପରେ ବୁଝି ବୁଝି
କଲି ସ୍ନାନାଦି ବ୍ୟବହାରକୁ ରେ
ନ କଲି ମନୋରଥ ପଥରେ ଭଗୀରଥ
ନୃପନନ୍ଦନା ନୀରଧାରକୁ ରେ । ୨ ।
ଟେକି ଠୁକିଲି ଲୋଷ୍ଟ୍ର ସର୍ବ ସୁପର୍ବ ଶ୍ରେଷ୍ଠ
ଚନ୍ଦ୍ରଚୂଳ ଦେଉଳ ଦ୍ୱାରକୁ ରେ
ଯବନ ଜାତି ଶବ ଭବନ ହେବା ଗ୍ରାମ
କୂଟକୁ କଲି ନମସ୍କାରକୁ ରେ । ୩ ।
ଅତିଭାଗ୍ୟୁ ଅର୍ଜିତ ଉର୍ବଶୀ ଊରୀକୃତ
ଆଶ୍ଳେଷୁ ଛାଡ଼ି ଅଙ୍ଗୀକାରକୁ ରେ
ବାନରୀ ନେତ୍ରପ୍ରାନ୍ତ ବତାଇବା ସଙ୍କେତ
ସ୍ଥଳକୁ କଲି ଅଭିସାରକୁ ରେ । ୪ ।
ଶିଳାଶୟନୁ ଡର ନ ଥିବା ଗଉଡ଼ର
ନିମନ୍ତେ ରଖି ତୁଳି ସାରକୁ ରେ
ଶିରୀଷ ସୁକୁମାର ମହାରାଜ କୁମାର
କନ୍ଧରେ ବୁହାଇଲି ଭାରକୁ ରେ । ୫ ।
ଚିର ଅଭ୍ୟସ୍ତ ଶସ୍ତ ସଂସ୍କୃତ କରି ଅସ୍ତ
ବସି ଘୋଷିଲି ଶଶୀଠାରକୁ ରେ
ନ ଭଜି ଚକ୍ରାୟୁଧ ତରିବି ବୋଲି ଶଧ
କଲି ସଂସାର ଅକୂପାରକୁ ରେ । ୬ ।
କବିମିହିର ବୋଲେ ଏପରି ହେଲେ ହେଲେ
କ୍ଷମା ଉଚିତ ପରିଚାରକୁ ରେ
ଦୋଷ ମୁଁ କରିଅଛି ଲଙ୍ଘିଲେ ଯେବେ କିଛି
ତୋତେ ପଣ୍ଡିତା ଅଗ୍ରଗାରକୁ ରେ । ୭ ।