(କବିସୂର୍ଯ୍ୟ— ରାଗ କଲ୍ୟାଣ, ତାଳ ଯତି)
ବନ୍ଧୁ ମୋ କାହୁଁ କିସ ଶୁଣିଲା ରେ
ବିଷ ତୁଲ୍ୟ ତ ମୋତେ ମଣିଲା ରେ
ବଚନ ନ କହିଲା ବିନୟ ନ ସହିଲା
କି ହେଲା ମହିଳାବର ରୁଷି ରହିଲା ରେ । ଘୋଷା ।
ବସନ୍ତକାଳ ବିଚ୍ଛେଦରେ ଏ କାଳ
ବହଇ ମଳୟାନିଳ ବିଯୋଗୀ ପ୍ରଳୟାନଳ
ବିପକ୍ଷ ସଙ୍ଗରେ ତ ଗଣିଲା ରେ । ୧ ।
ବାଳାବର ସେ ବେଳେ ମୋରେ ନ ରୁଷେ
ବିବେକ ନ କରି ଲେଶେ ବିଳସିବାର ହରଷେ
ବରଜି ଏ ଦୁର୍ଯୋଗ କିଣିଲା ରେ । ୨ ।
ବିଡ଼ିଆ ବିଡ଼ି ବଢ଼ାଇଲି ସଜାଡ଼ି
ବାତ୍ସଲ୍ୟ ପୀୟୂଷ ଇଡ଼ି ବସିଲା ଶ୍ରୀମୁଖ ମୋଡ଼ି
ବକ୍ରନାଳକଞ୍ଜକୁ ଜିଣିଲା ରେ । ୩ ।
ବିକଳ ହୋଇ ବହୁ ଅଶ୍ରୁ ବୁହାଇ
ବଦନବିଧୁ ନୁଆଇଁ ବରତୁଳ ସ୍ତନେ ଥୋଇ
ବରୁଣାଦ୍ରି ଚନ୍ଦ୍ରକୁ ଟାଣିଲା ରେ । ୪ ।
ବିଅର୍ଥେ ଦିନ ବଞ୍ଚାଉଛି ମୋ ଧନ
ବିଷମ ଏ ଯଉବନ ବିଜୁଳିଠାରୁ ଜବନ
ବଳଦେବ କବୀନ ଭଣିଲା ରେ । ୫ ।