(ବନମାଳୀ— ରାଗ ଲଳିତ କାମୋଦୀ, ତାଳ ଆଠତାଳି)
ବଂଶୀ ଧ୍ୱନି
ରାଧେ ଉଚ୍ଛନ୍ନ କଲାଣି ପୁର ତିନି । ଘୋଷା ।
ଏହାର ମହିମା ଅତିରେକ
ଭାଙ୍ଗିଦିଏ ସତୀ ବ୍ରତ ଟେକ
ଛଡ଼ାଏ ଗୁମାନ ଲାଭ ଭୟ ମାନ
ଛାର ଧୃତି ଅବା ସେ କେତେକ । ୧ ।
ଦୂରେ ବାଜୁଥିଲେ ଧୀର କରି
ଲାଗୁଥାଇ ତ ନିକଟ ପରି
ଯୁବା ନାରୀ ଦମ୍ଭ କୁମ୍ଭର ଆରମ୍ଭ
ଚୂନା କରିଦିଏ ଯେ ବାଂଶରୀ । ୨ ।
ସପତ ସ୍ୱରେ ପଞ୍ଚମ ରାଗେ
ବାଏ ଯେ ନାଗର ଅନୁରାଗେ
ତପତ କାଞ୍ଚନ ବରନୀମାନଙ୍କୁ
ଝାଙ୍କେ ସେ ମାଦକ ଆସି ବେଗେ । ୩ ।
ଛଣା ପୀୟୂଷରୁ ବଳି ସ୍ୱାଦୁ
ପରମାଦ ଅତି ପରମାଦୁ
ବୋଲେ ବନମାଳୀ ଏ ରସରେ ଭାଳି
ଚାଖିବି କି ସତେ ଏକ ବିନ୍ଦୁ । ୪ ।