(ଅଚ୍ୟୁତାନନ୍ଦ)
ବାରମାସୀ ଗୀତ
ଆଦ୍ୟ ମାର୍ଗଶୀର ଶିଶିରେ ଶୀତ
ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ୍ତ
ଦୁଃଖୀର ଜୀବନ ଦୁଃଖୀ ସଙ୍ଗାତ
କାହୁଁ ଆଣିଦେବି କମଳାକାନ୍ତ ମୋ କାହ୍ନୁରେ । ୧ ।
ପୌଷେ ଚନ୍ଦ୍ରାବଳୀ ଜପଇ ବସି
ହସ୍ତେ ବର୍ଣ୍ଣମାଳା କଣ୍ଠେ ତୁଳସୀ
ସେଦିନ ଗାଇବ ଗୋବିନ୍ଦବର
କୃଷ୍ଣ କଥାଯାକ ପଡ଼େ ମନର ମୋ କାହ୍ନୁରେ । ୨ ।
ମାଘରେ ମାଧୋଇ ଆସିବେ ବୋଲି
ଶେଯ ଶେଯାଇଲି ପାଖୁଡ଼ା ମଲ୍ଲୀ
ଜାଳି ବସାଇଲି ମାଣିକ୍ୟବତୀ
ଚକ୍ଷୁ ଉଜାଗରେ ରାତି ମୋ କାହ୍ନୁରେ । ୩ ।
ଫଗୁଣ ମାସରେ ଦୋଳଗୋବିନ୍ଦ
ଫଗୁ ଖେଳୁଥାନ୍ତି ପରମାନନ୍ଦ
ଅବିର ସଙ୍ଗରେ ଝାଲେରୀ ମିଶାଇ
ଫଗୁ ଖେଳୁଥାନ୍ତି ଯଦୁ ଗୋସାଇଁ ମୋ କାହ୍ନୁରେ । ୪ ।
ଚଇତ୍ର ମାସରେ ଫୁଟଇ ମଲ୍ଲୀ
ଚୂଆ ଚନ୍ଦନକୁ ମୁଁ ତେଜ୍ୟା କଲି
ମଲ୍ଲୀ ପୁଷ୍ପରେ ମୁଁ କରି ବିଞ୍ଚଣୀ
ଯୋଗେ ଭେଟ ହେଲେ ଶାରଙ୍ଗପାଣି ମୋ କାହ୍ନୁରେ । ୫ ।
ବୈଶାଖ ମାସରେ ଖରା ଗ୍ରୀଷମ
ଚନ୍ଦନ କର୍ପୂର ଅଙ୍ଗେ ଲେପନ
ଆଲଟ ଚାମର ଧରନ୍ତି ବାଳୀ
ମୋ ପୁରେ ବିଜୟ ଶ୍ରୀ ବନମାଳୀ ମୋ କାହ୍ନୁରେ । ୬ ।
ଜ୍ୟେଷ୍ଠ ମାସରେ ହୁଏ ଗୁଳଗୁଳି
ସ୍ନାହାନକୁ ବିଜେ ଶ୍ରୀ ବନମାଳୀ
ସ୍ନାହାନ ସାରି ଅଣସର ଗଲେ
ଗୋପ ଯୁବତୀଙ୍କି ଅନାଥ କଲେ ମୋ କାହ୍ନୁରେ । ୭ ।
ଆଷାଢ଼ ମାସରେ ଗୁଣ୍ଡିଚା ଯାତ
ରଥେ ବିଜେ କଲେ ଶ୍ରୀ ଜଗନ୍ନାଥ
ଆଗେ ବଳଭଦ୍ର ବସିଲେ ଯାଇ
ମଧ୍ୟେ ସୁଭଦ୍ରା ଦେବୀ ପଛେ କହ୍ନାଇ ମୋ କାହ୍ନୁରେ । ୮ ।
ଶ୍ରାବଣ ମାସରେ ଘୋର ବରଷା
ସକଳେ ଛାଡ଼ି କୃଷ୍ଣରେ ଆଶା
ନ ରୁଚଇ ମୋତେ ସୁବାସ ବାସ
ଅନ୍ନ ପାଣିଯାକ ଲାଗୁଛି ବିଷ ମୋ କାହ୍ନୁରେ । ୯ ।
ଭାଦ୍ରବ ମାସରେ ହରି ଜନମ
ପରେ ପରେ ପ୍ରଭୁ ହେଲେ ଜନମ
ଜନମ ହୋଇ ଗୋପରେ ବଢ଼ିଲେ
କଂସାସୁରକୁ ଶେଷରେ ନାଶିଲେ ମୋ କାହ୍ନୁରେ । ୧୦ ।
ଆଶ୍ୱିନ ମାସରେ କୁଆଁରୀ ଜହ୍ନ
ପଶା ଖେଳିବାକୁ ବଳୁଛି ମନ
ଚନ୍ଦ୍ର କିରଣରେ ଖେଳନ୍ତି ପଶା
କୃଷ୍ଣ କଲେ ମୋତେ ଭଗାରିହସା ମୋ କାହ୍ନୁରେ । ୧୧ ।
କାର୍ତ୍ତିକେ ସମ୍ପୂର୍ଣ୍ଣ ଏ ବାର ମାସ
ବାଲୁକା ପୂଜି କରନ୍ତି ହବିଷ୍ୟ
ଦାମୋଦର ପୂଜାଠାରେ ମୋର ଆଶ
ଭାବରେ ଭଣିଲେ ଅଚ୍ୟୁତ ଦାସ ମୋ କାହ୍ନୁରେ । ୧୨ ।