(ପ୍ରତୀକ ପଟ୍ଟନାୟକ— ରାଗ କକୁଭା, ତାଳ ଆଠତାଳି)
ବେଶ କରିବି ମଥୁରାନାଥଙ୍କୁ । ଘୋଷା ।
ଯାଈ ଜୂଈ ମଲ୍ଲୀ ଜାତି ପୁଷ୍ପ ତୋଳି
କରେ ଗୁନ୍ଥି ମାଳୀ ଦେବି ଭୁଜକୁ ।୧।
ଘନସାର ଗୋଳି ମଳୟଜ ବୋଳି
ଦେବି ଝଳି ଶ୍ୟାମ ଶିରୀଅଙ୍ଗକୁ ।୨।
ବଳାହକଦଳା ତମାଳସୁନ୍ଦର
କଳା କଳେବର ରଙ୍ଗାଧରଙ୍କୁ ।୩।
ଷଡ଼ ଅଇଶ୍ୱର୍ଯ୍ୟ ଯାର ଭୁଜ ତେଜ
ଜିଣି ବ୍ୟାଜପୁଞ୍ଜ ତାପଜ୍ୱାଳାକୁ ।୪।
ହରି ପାରିଷଦ ଅମ୍ଭୋରୁହ ପଦ
ସ୍ମରି ମନାନନ୍ଦ ଭଣି ଗୀରକୁ ।୫।