(ଗୋପାଳକୃଷ୍ଣ— ରାଗ ନାଦରାମକେରୀ, ତାଳ ଆଡ଼ତାଳି)
ଭାବିଲେ ଭାବିଲା ପରି ରେ ମାନସ
ଶ୍ରୀ ରାଧା ଗୋବିନ୍ଦ କଥା ହୋଇବାର
ହସି ଧୀର ଧୀର କରି ରେ । ଘୋଷା ।
ନିଭୃତ କୁଞ୍ଜରେ ସୁମନ ଶେଯରେ
ରାତି ଥାଉ ଚେତା ହୋଇ
ବୃକ୍ଷରେ ବଲ୍ଲୀ ବେଢ଼ିଲା ସନେ ରହି
ଶ୍ରୀମୁଖେ ମୁଖ ଲଗାଇ । ୧ ।
ଆଳୀମାନେ ଥିଲାବେଳେ କେଣେ
ମୋର ନିକଟକୁ ଆସିବାର
କିଛି ଲାଜ ନାହିଁ ବୋଲୁ ବ୍ରଜବଧୂ
ସରୁ ଚୁମ୍ବନ ଦେଲାର । ୨ ।
କି ଲାଜ ନାଚିବା ଲୋକର ବରଜ
ରାଜପଥେ ଚାଲି ଚାଲି
ବୋଲୁଁ ଶ୍ରୀ ପ୍ରାଣେଶ ଗଣ୍ଡେ ଗଣ୍ଡ
ଦେଇ ମଜ୍ଜିବାର ଝୁଲି ଝୁଲି । ୩ ।
ଜଟିଳା ଆସୁଛି ବୋଇଲେ ପଳାଇ
ସପ୍ତପର୍ଣ୍ଣ କୁଟ୍ଟିମରେ
ଦୁହେଁ ଯାକ ଲୁଚି ପାହୁରି ହେଲାର
କିଶୋରୀମଣି ବାସରେ । ୪ ।
ଶ୍ୟାମଳ ବେଶରେ ପୁରକୁ ଯିବାରେ
ଗତ ରାତିର ଚରିତ
ନାରୀ ଭୂଷଣ କାହୁଁ ବୋଲୁ ଭାଷନ୍ତି
କୁନ୍ଦଲତା କଲା ଦତ୍ତ । ୫ ।
ଘନସୁନ୍ଦର ଶ୍ରୀମତୀ ହୋଇ
କନିଅର ତଳେ ଭେଟାଭେଟି
ପରିଷ୍ୱଙ୍ଗ ରଙ୍ଗେ ମଜ୍ଜି ପୁର ଆଡ଼େ
ଭୟେ ଢାଳି ଢାଳି ଦୃଷ୍ଟି । ୬ ।
ଗୋପାଳକୃଷ୍ଣ କହେ ଶ୍ରୀରାଧାକୃଷ୍ଣ
ପ୍ରେମ ରସ ସୁଧାବ୍ଧିର
ଶ୍ରୀକର ଯାର ରସନା ସ୍ୱରସିତ
ସେ ଜାଣିବ ଏ ମଧୁର । ୭ ।