(ଅଜ୍ଞାତ କବି— ରାଗ ସିନ୍ଧୁ ଦେଶାକ୍ଷ)
ଭଲା ସିନ୍ଦୂର ବିନ୍ଦୁରେ ବନ୍ଧୁ
ମୋ ମନେ ମଣିଲି ରାହୁ ଭୟେ ସୂର୍ଯ୍ୟ
ଆଶ୍ରେ କରିଛି କି ଇନ୍ଦୁରେ । ଘୋଷା ।
ଚନ୍ଦ୍ର ପାଶେ ରହି ଯୁଦ୍ଧ ଆରମ୍ଭିଛି
କର୍ଣ୍ଣଫୁଲ କରି ଢାଲ
ନାସାନଥ ଚକ୍ର ଧରିଛି କି କରେ
ପେଷିବ ଇନ୍ଦ୍ର ପ୍ରଭାଲ । ୧ ।
ଭ୍ରୂଲତା କମାଣ ଅଞ୍ଜନର ଗୁଣ
ଟଙ୍କାର କରେ ପିଛଡ଼ା
ନୟନ ଶର ପେଷିଲେହେଁ ଅସୁର
ଶରେ ହେବ ତନୁ ପୀଡ଼ା । ୨ ।
ଅଳକା ଗଡ଼ ଭିତରେ ପଶିକରି
ନିର୍ଭୟେ ହୋଇ ରହିଛି
ଦନ୍ତହୀରା ଶଲ୍ୟ ହୃଦରେ ଲଗାଇ
ଯୁଦ୍ଧେ ଗୁମାନ ବହିଛି । ୩ ।
କସ୍ତୁରୀପନ୍ତି ପାଶେ ଯାହା ଅଛନ୍ତି
ଟୋପି ଟୋପି ଅଟେ ଗୁଳି
ନାସା ଗୁଳିରେ ପୂରାଇଣ ମାଇଲେ
ହୃଦ ପକାଇ ବଦଳି । ୪ ।
ଚନ୍ଦ୍ର ସୂର୍ଯ୍ୟ ବେନି ଅଟେ ମହାରଥୀ
ହୋଇଛନ୍ତି ଏକଚିତ୍ତ
ଏକ ଜଣଙ୍କୁ ଦୁଇଜଣ ହୋଇଲେ
ଜିଣିବେନି ସିଂହ ସୁତ । ୫ ।
ଏଣେ ଚନ୍ଦ୍ର ସୂର୍ଯ୍ୟ ଚଢ଼ି ମନୋରଥ
ନାନା ଶସ୍ତ୍ର ଛନ୍ତି ପୂରି
ବୋଲେ ରାଜସିଂହ ଏ ମୁଖ ଚୁମ୍ବିଲେ
କୋଟି ଯୁଗ ନୁହେଁ ସରି । ୬ ।