(ବନମାଳୀ— ରୂପକ)
ଭୁଜ ତଳେ ମୋତେ ରଖ ମହାବାହୁ
ବାହୁ ତଳେ ମୋତେ ରଖ
ବିପୁଳ ଭୁଜ ବିସ୍ତାରି ଦେଲେ ଛାର
କି କରି ପାରିବ ଦୁଃଖ । ଘୋଷା ।
ସଜ ହୋଇଥିବ ନନ୍ଦିଘୋଷ ରଥ
ମୁଁ ଥିବି ତୁମ୍ଭ ସେବାରେ
ତୁମ୍ଭେ ଦୀନବନ୍ଧୁ ନିର୍ଦ୍ଦୟ ହୋଇଲେ
କି ବୋଲିବେ ଏ ସଂସାରେ । ୧ ।
ଏ ଗଜରାଜି କ୍ଷିତି ପତି ସମ୍ପତ୍ତି
ରତିଏ ରୁଚଇ ନାହିଁ
ଭୁବନ ମୋହନ ଚକାନୟନକୁ
ଯେତେବେଳେ ଦିଏ ଚାହିଁ । ୨ ।
ଦିନକୁ ଦିନ ତ ଦୁଃଖ ଅତିରେକ
ସୁଖ ତ ଦିଶଇ ନାହିଁ
ଭାସି ଯାଉଅଛି ଏ ଭବସାଗରେ
ରକ୍ଷାକର ଭାବଗ୍ରାହୀ । ୩ ।
ଶ୍ରୀକ୍ଷେତ୍ର ନବରେ ମହା ଐଶ୍ୱର୍ଯ୍ୟରେ
ଥିଲେହେଁ କମଳା ସାଇଁ
ବାଇଶି ପାବଚ୍ଛ ନ ଉଠିବା ଯାଏଁ
ଆନନ୍ଦ ନ ପାଏ କାହିଁ । ୪ ।
ସେବାରୁ ଅନ୍ତର ହେଲି ଯେବେ ପ୍ରଭୁ
ଏ ପ୍ରାଣ ଥିବ କିପାଇଁ
ଓହ୍ଲାଇ ନ ଦିଅ କିପାଁ ମୋ ମଥାରୁ
ଜଞ୍ଜାଳ ଭାର ଗୋସାଇଁ । ୫ ।
ମୁଁ ଛାର ପତିତ ଭରସା ରଖିଛି
ଶ୍ରୀରଙ୍ଗା ଚରଣ ତଳେ
ଶ୍ରୀ ବୀରକେଶରୀ ମହାରାଜା ଭଣେ
ରକ୍ଷା କର ଏତେ ବେଳେ । ୬ ।