(ବନମାଳୀ— ରାଗ ଶୋକ କାମୋଦୀ, ତାଳ ଏକତାଳି)
ବିଚିତ୍ର କଥାଏ ଶୁଣ ସଖୀ
ବ୍ରହ୍ମାଣ୍ଡ ଯାକେ ନ ଥିବେ ଦେଖି
କାହାଗେ କହିବି ନ ବୁଝନ୍ତି କେହି
ଏହି ଭାବରେ ମୁଁ ଗଲି ଶୁଖି । ୧ ।
ପ୍ରିୟ ଚିତ୍ତ ଚିତ୍ର ଅଳଙ୍କାର
ଅନାଇ ଲୋଭ ବଢ଼ିଲା ମୋର
ମୋର ମନ ମଣି ବନ୍ଧା ରଙ୍ଗେ ଅଣି
ମଣ୍ଡିହେବି କଲି ଏ ବିଚାର । ୨ ।
ଭଲ ଲୋକ ପରି ପାଶେ ଦେଖି
ଖଳ ମଦନକୁ କଲି ସାକ୍ଷୀ
ଦେଲି ମୁଁ ନବ ଲାବଣ୍ୟ କଳନ୍ତର
ଭୋଗ କରୁଥାଅ ବୋଲି ଲେଖି । ୩ ।
ଏବେ ସେ ଚିତ୍ତ ଅନ୍ତରହିତ
ହରାଇଲି ମାତ୍ର ନିଜ ବିତ୍ତ
ଯେ ଗଲା ସେ ଯାଉ ପଛକେ ମୋ ଚିନ୍ତା
ନାହିଁ ଶୁଣ ଏବେ ବିପରୀତ । ୪ ।
ସଖୀ କିମ୍ପାଇଁ ସନ୍ତତ ଚଳି
କମ୍ପାଇ ତନୁ ଦେଉଛି ଦଳି
ବନମାଳୀ ବୋଲେ କା ଆଗେ କହିବି
ରସନା ନାଶିଲେ ଦନ୍ତାବଳୀ । ୫ ।