(କବିସୂର୍ଯ୍ୟ— ରାଗ କାନଡ଼ଗୌଡ଼ା, ତାଳ ତ୍ରିପଟା)
ବିଧାତା କି ନ କରଇ ଗୋ
ଏକେ ନବୀନ ପ୍ରୀତି ତହିଁ ବିଦେଶେ ପତି
ଏ ତ ଘୋର ବିପତ୍ତି ଏଥି ମୋର କି ଗତି । ଘୋଷା ।
ମନେ ଥିଲା ଯାହା ତାହା ନୋହିଲା ଗୋ
ଯାହା ନଥିଲା ତା ମନେ ହେଲା ଗୋ
ଏବେ ପିକ ବଚନ ମନ୍ଦ ମଧୁପବନ
ମଧୁର ଭୃଙ୍ଗସ୍ୱନ ଦହୁଛନ୍ତି ଜୀବନ । ୧ ।
ଆଲିଙ୍ଗନେ ମୋର ଅନ୍ତର ଡରେ ଗୋ
ପ୍ରିୟ ନ ରଖନ୍ତି ତ ହାର ଉରେ ଗୋ
ଏବେ ମଧୁରେ ପୂରି ରହିଲା ବନ ଗିରି
ଆହା ମୋତେ ପାଶୋରି ରହିଲେ ମଧୁପୁରୀ । ୨ ।
ପ୍ରିୟ ଥିଲେ ଏ ମଧୁ ରଜନୀ ଗୋ
କେଉଁ ସୁଖ ନ ଦିଏ ସଜନୀ ଗୋ
କହି ମୋତେ ବଚନ କରନ୍ତେ ସେ ଗମନ
ତାଙ୍କ ପଛେ ବହନ ନ ଗଲା ଏ ଜୀବନ । ୩ ।
ଯେବେ ହେଲେ ଏ ଜୀବନ ଯାଉ ରେ
ପ୍ରୀତିଭଙ୍ଗ କଳଙ୍କ ନ ଥାଉ ରେ
ଚିନ୍ତି ଏବେ ସେ ରୀତି ଫାଟିଯାଉଛି ଛାତି
ନ ସରେ ଦିବାରାତି ପ୍ରୀତି ହେଲା ବିପତ୍ତି । ୪ ।
ଏହା କରମରେ ମୋର ଥିଲା ଗୋ
ପ୍ରୀତି ଏତେ ସରିକି ତ ଗଲା ଗୋ
ଏସନେ ସଖୀ ଶୁଣି ଦୁଃଖେ କହନ୍ତି ବାଣୀ
ଆସିବେ ବେନୁପାଣି ହରିଚନ୍ଦନ ଭଣି । ୫ ।