(ଉପେନ୍ଦ୍ର ଭଞ୍ଜ— ରାଗ କେଦାରଗୌଡ଼ା, ତାଳ ଯତି)
ବୀଣାଜିଣା ଭାରତୀ ତୁ ଶୁଣାରେ
ଆଜନମ ଦାସ ଆଶା ନ ନାଶି ତୁ
କର ମାନସ ପୂରଣାରେ । ଘୋଷା ।
ଧରାଲୋକ ପରା ତୁହି ବସନା
ଧୀରା କରଜରେ ମହୀ ଲେଖନା
ଧରାସ୍ତନା ପରକୁହା ଶୁଣି ଯାହା
ଅନୁରାଗ କଲୁ ଊଣାରେ । ୧ ।
ବାରି ବାରିଦିଅ ରମ୍ୟ ନୟନୁ
ନାରୀରତନ କହ କେ ତୋ ବିନୁ
ଗତି ନ ଥିବାର ବାରଣଗମନା
ନୁହଇ କି ତୋତେ ଜଣାରେ । ୨ ।
ସାଜି ଦେବି ଘନଜିତ ଚିକୁର
ମାଜି ଦେଖାଇବି ଆଣି ମୁକୁର
ରାଜୀବାକ୍ଷି ରାଜି କରୁ କିନା ଥରେ
ବିହି ଅପାର କରୁଣାରେ । ୩ ।
ଦର୍ପ ଦର୍ପକର ଦର ଏ ବାର
ପର୍ବ ଶର୍ବରୀଶ ମୁଖୀ ନିବାର
କାଞ୍ଚନବରନା ଶ୍ୱାସ ତୁ ମୁଞ୍ଚନା
ଫୁଲାଇ ସୁସଞ୍ଚ ଘେନାରେ । ୪ ।
ଉପଇନ୍ଦ୍ରର ଘେନ ଏ ଅରଜ
ଶୁଣ ସୁମନୁ ମାନକୁ ବରଜ
ସୁବରଜ ତନୁ ପାଇ ଚମ୍ପାଗୋରୀ
ହେଲି ମୁଁ ତୋର କିଣାରେ । ୫ ।