(ଗୋପାଳକୃଷ୍ଣ— ରାଗ କଲ୍ୟାଣ, ତାଳ ରୂପକ)
ବ୍ରଜ ଜନ ନେତ୍ର ସମ୍ପତ୍ତି
ହା ନିଭୃତ କୁଞ୍ଜ ଗୃହ ଦମ୍ପତି । ଘୋଷା ।
ଦିବ୍ୟ ରତ୍ନପୀଡ଼ ପକାଇ
ଗୋଷ୍ଠେନ୍ଦୁଙ୍କୁ ବିଜେ କରାଇ
ନେଇ ବାଢ଼ିବାର ସୁବର୍ଣ୍ଣ ପାତ୍ରରେ
ସୁଧାସ୍ୱାଦୁ ଭୋଜ୍ୟ ହା ରସବତୀ । ୧ ।
କରୁ ଜୀବବନ୍ଧୁ ଅଶନ
ହା ହା ସେ କାଳର ପ୍ରସନ୍ନ
ରସବତୀ ଦ୍ୱାର ପାଶୁଁ ଚଳିବାର
ତେଜ କରିବାକୁ ଛାମୁର ବତୀ । ୨ ।
ହେଉ ଏକା ଚାରି ନୟନ
ଲାଜ ହାସ ଭୂରୁ କୁଞ୍ଚନ
ବେନି ବଦନ ହା ହା କି ସେ ଶୋଭନ
ହେଉ କୁହାକୁହି ଧୀର ଭାରତୀ । ୩ ।
ପରିବେଷଣ ଚମତ୍କାର
ଚାହିଁ ରମା ଉମା ବଧୂର
ଭାଙ୍ଗିଯିବ ସେହିକ୍ଷଣି ପୁରାତନ
କୁଟୁମ୍ବିନୀ ନିପୁଣତା ଉନ୍ନତି । ୪ ।
ଅଶନାନ୍ତରେ ଆଚମନ
ଦେଇ ପୋଛିବାକୁ ବଦନ
ନିଜ ଚେଳାଞ୍ଚଳ ବଢ଼ାଇ ଦେବାର
ତ୍ରିଭୁବନ ଶୂନ୍ୟ ପ୍ରଣୟ ରୀତି । ୫ ।
ପଲଙ୍କରେ ପ୍ରିୟ ଅଙ୍କରେ
ବସି ତାମ୍ବୁଳ ଘେନି କରେ
ଭାଙ୍ଗି ପ୍ରାଣନାଥ ମୁଖେ ଦେବା ଶୋଭା
ଆହା ସେ ସଙ୍କଳ୍ପ ସିଦ୍ଧ ମୂରତି । ୬ ।
ଆସି ଆପଣାର ଆଳିଙ୍କି
ଡାକି ବସାଇ ମଣୋହିକି
କାନ୍ତ ଅବଶିଷ୍ଟ ଅଶନରୁ ଜାତ
ହରଷ ଧରିବ କି ବସୁମତୀ । ୭ ।
କେତେ ଦିନର ମନୋରଥ
ଆଜ ହୋଇଲା ଯେ ସେ ସାର୍ଥ
ବୋଲୁ ଲଳିତା ହୃଦେ ରାଧା ଆଉଜି
ଲାଜେ ବସିବାର ବଦନ ପୋତି । ୮ ।
ଅଦ୍ୱିତୀୟ ପରମ ତତ୍ତ୍ୱ
ପରମାନନ୍ଦ ସାର ତତ୍ତ୍ୱ
ନିତ୍ୟ ସନାତନ ସର୍ବଦା ନୂତନ
ବୃନ୍ଦାଟବୀ ପ୍ରାଣ ପ୍ରେମ ବସତି । ୯ ।
ଆଳୀ ସହ ସାରି ଭୋଜନ
ଆଚମନ ତାମ୍ବୁଳାଶନ
ଶ୍ୟାମ ଛାମୁକୁ ଶ୍ରୀମତୀ ସ୍ୱ ସ୍ୱ କୁଞ୍ଜକୁ
ଯିବାର ସଖୀ ସଂହତି । ୧୦ ।
ତା ଯାକ ଗୋପାଳକୃଷ୍ଣର
କେବେ ହେବି ଦୃଷ୍ଟିଗୋଚର
ଶ୍ରୀ ରୂପମଞ୍ଜରୀ ଦେବେ କୃପା କରି
ସେ ଅବଶେଷ ଲଭିହେବ ତୃପ୍ତି । ୧୧ ।