(ରାମକୃଷ୍ଣ କବିଚନ୍ଦ୍ର— ରାଗ ଗୁଣ୍ଡକେରୀ, ତାଳ ଖେମଟା)
ବ୍ରଜ ଯୁବରାଜ ଆଜ
ମନକୁ ତ ମୋର ମୋହିନେଲା ରେ । ଘୋଷା ।
ଘନଶ୍ୟାମ ଛବିକି ଦେଖି
ଚିତ୍ତ ମୋର ରହିଲା ଲାଖି
କାହୁଁ କାହ୍ନୁ କେତେ ଭଙ୍ଗୀକି ଶିଖିଛି
ଚାହୁଁ ଚାହୁଁ ଚିତ୍ତ ବୁଡ଼ିଗଲା ରେ । ୧ ।
ଯେଉଁ ତାର ନୟନ ଠାର
ସେ କି ଧୃତି କୁଠ କୁଠାର
ଦେଖୁ ଦେଖୁ ତାର ନବ ନବ ରୀତି
ତନୁଯାକ ମୋର ଥରିଗଲା ରେ । ୨ ।
ବିମ୍ବ ଦମ୍ଭହରା ଅଧର
ଦରହାସ କେଡ଼େ ମଧୁର
ଦୂରୁ ଚାହିଁବାରୁ ଭୂରୁକୁ ନଚାଇ
ତରଳ ନୟନେ ଠାରିଗଲା ରେ । ୩ ।
ତାଙ୍କ ବିନା ନାହିଁ ଶରଣ
ନ ବଳିଲା ପାଦେ ଚରଣ
କୁଳବତୀ ସତୀକୁଳର ବରତ
ଦେଖୁ ଦେଖୁ ମୋର ସରିଗଲା ରେ । ୪ ।
ରାମକୃଷ୍ଣ ଭାଷେ ସଜନୀ
ହେବି ତାର ପ୍ରୀତିଭାଜନୀ
ଜାଣି ତ ନ ହେଲା ଏଡ଼େ ପରମାଦ
ଅଯୋଗେ ତ ଭେଟ ପଡ଼ିଗଲା ରେ । ୫ ।