(ବନମାଳୀ— ରାଗ ମାଳବ କୌଶିକ, ତାଳ ଖେମଟା)
ବ୍ରଜରାଜ ସୁତ ଫାନ୍ଦେ ପଡ଼ି ମିତ
କେତେ କଥା ଦେହ ସହୁଛି
ହେଜ ମନେ ବ୍ୟାଜ କହୁ ନାହିଁ ଲାଜ
ପଙ୍କେ ମନ ବୁଡ଼ିଯାଉଛି । ଘୋଷା ।
ଏ ଗୋପରେ କେହି ଅଛି ଯୁବତୀ
ଶ୍ୟାମ ସଙ୍ଗ ରଙ୍ଗ ରସେ ନ ମାତି
ଫୁଲାଇଣ ଛାତି ସର୍ବେ ହେଲେ ସତୀ
ମୋ ନାମେ କଳଙ୍କ ରହୁଛି । ୧ ।
କିଏ ଯାଉ ନାହିଁ ଅବା ଯମୁନା
ମୋହ ଯିବା ପାଇଁ ହୋଇଛି ମନା
ପାଟକ କୁଳ ଅଟକକୁ ନ ମାନି
ଏତେ ସରି ସିନା ହେଉଛି । ୨ ।
ଆହୁରି କାତରେ ହୃଦୟ ଥରେ
ଡେରି ଶୁଣ ଏବେ ଶ୍ରୁତି ପଥରେ
କଦମ୍ବ ମୂଳେ କି ମଧୁର ସ୍ୱରେ
ବଂଶୀ ରାଧେ ରାଧେ ଗାଉଛି । ୩ ।
ଦିଶିବ କି ସତେ ସୁଗତି ପଥ
ଦୋଷୀ ବୋଲି ନ ବୋଲିବ କୃତାନ୍ତ
ନିଶି ଦିନ ଭାଳି ଦୀନ ବନମାଳୀ
ଯୁଗଳ ପଦକୁ ଧ୍ୟାଉଛି । ୪ ।