(ବେଣୁଧର— ରାଗ ପୁନ୍ନାଗ ବରାଡ଼ି, ତାଳ ଝମ୍ପା)
ଚାହାଁରେ ସଙ୍ଗିନୀ କେଳି ନୀପ ତରୁ ମୂଳକୁ
ସେ ମନୋହର ମୂରତି ଶୋଭା ବାଙ୍କଚୂଳକୁ । ଘୋଷା ।
ଭାଲେ ଶୋହେ ଗୋରଚନା କସ୍ତୁରୀ ଚିତା ରଚନା
ଦେଖି କେବଣ ଅଙ୍ଗନା ନ ତେଜିବ କୁଳକୁ । ୧ ।
କର୍ଣ୍ଣେ ରତନ କୁଣ୍ଡଳ ଖେଳା କରେ ଗଣ୍ଡସ୍ଥଳ
ଚାହାଁ ଥରେ ଝଲମଲ ନାସା ମୋତିଫଳକୁ । ୨ ।
ପୃଷ୍ଠଦେଶେ ଶୋହେ ବେଣୀ ଗଳେ ରତ୍ନହାର ପୁଣି
କଟୀ ଦେଶରେ କିଙ୍କିଣୀ ଶୁଭେ ତରୁତଳକୁ । ୩ ।
ଶ୍ରୀପଦେ ନୂପୁର ଧ୍ୱନି ନାଦେ ମୋହୁଛି ମେଦିନୀ
କରେ ମୋହନ ମୁରଲୀ ଦିଶେ କି ମଞ୍ଜୁଳକୁ । ୪ ।
ରଙ୍ଗିମା ଅଧରେ ହାସ ବାଙ୍କ ଚାହାଣୀ ପ୍ରକାଶ
ବୋଲେ ବେଣୁଧର ସେ ତ ଚନ୍ଦ୍ରମା ଗୋକୁଳକୁ । ୫ ।