(କବିସୂର୍ଯ୍ୟ— ରାଗ ପଞ୍ଚମ ବରାଡ଼ି, ତାଳ ଖେମଟା)
Cha Patala — Kisorachandrananda Champu
ଚ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
ଚାହିଁ ଚାହିଁ ତୋ ସରଣୀ କକୁଭକୁ ରେ ତରୁଣୀ
ଚିତ୍ରାର୍ପିତ ପରି ଥିଲି ବସି ।
ଚିତ୍ର ମଣିଲି ମୁଁ ତୋତେ ଚାହିଁ ଯା ଅତରକିତେ
ଚାରି ଚକ୍ଷୁ ମିଶାଇଲୁ ଆସି ରେ, ଚଳାପାଙ୍ଗି
ଚନ୍ଦ୍ରରୁ ଚିପୁଡ଼ି ସୁଧା ଝରି
ଚିର ତୃଷିତର ମୁଖେ ଭରି
ଚାତୁର୍ଯ୍ୟ କୃପାଳୁ ଗୁଣନିଧି ରଖିଲୁ କି ପ୍ରାଣ
ଘେନିଲି ମୁଁ ଏତେ ସରିକରି ରେ । ୧ ।
ଚେତା ଥିଲା ପରି କିଛି ପ୍ରତୀତ ତ ହେଉଅଛି
ଚିକ୍କଣ ତ ଦିଶୁଛି ମୋ ଦେହ ।
ଚିହ୍ନକି ଲାଞ୍ଛନ ସତେ ଚାମର ଚିକୁରା ମତେ
ଚହକାଇ ପଚାରିଲୁ କହ ରେ, ଚଳାପାଙ୍ଗି
ଚୁମ୍ବି ରବିନନ୍ଦନାର ନୀର
ଚନ୍ଦ୍ରିକାଚୟ ତୁଷାର ସାର
ଚାରୁ ମାରୁତରୁ ତରୁତଳ ଶୀତଳ ହେତୁରୁ
ଚିନାଏ ତ ଖେଦ ନାହିଁ ମୋର ରେ । ୨ ।
ଚାରି ହରିତରେ ଘେରି ଚରାଉଥାନ୍ତି ବାଛୁରୀ
ଚୂଳ ମୁକୁଟିଆ ସଖାମାନେ ।
ଚିରାମରା ଶୃଙ୍ଗ ବେଣୁ ବାଦ୍ୟ ନାଦ ଶୁଣୁ ଶୁଣୁ
ଶେଷ ହୁଏ ଦିନ ଦିନେ ଦିନେ ରେ, ଚଳାପାଙ୍ଗି
ଚୁମ୍ବି ବାରୁଣୀକି ଦିନ ଦ୍ୟୁତି
ଚପଳେ ଅମ୍ବର ବରଜନ୍ତି
ଚରମ ଭାଗ ମୋ ଭାରି ଲାଗି ନାହିଁ ଭ୍ରମେ ଡରି
ଚମକି ତ ନାହିଁ ମୋର ଛାତି ରେ । ୩ ।
ଚାମିକର ଚାରୁ ଶିରୀମତୀ ସେ କେଉଁ ଅମରୀ
ଚାଖି ନାହିଁ ଦିନେ ମୋ ନୟନ ।
ଚମତ୍କାର କଥା ଦେଖି ପେଟରେ କପଟ ରଖି
ତୋତେ ନିକି ନ କହନ୍ତି ଘେନ ରେ, ଚଳାପାଙ୍ଗି
ଚରାଚର ଚାଲି ଭୟମୟ
ଚକଟି ଦେଲୁ ମୋ ହୃଦାଶୟ
ଚରଣ ଯୁଗକୁ ତୋର ବନ୍ଦେ ଅଷ୍ଟଦୁର୍ଗେଶ୍ଵର
ଚୋରି ନାହିଁ ଥିଲେହେଁ ବଞ୍ଚାଅ ରେ । ୪ ।