(କବିସୂର୍ଯ୍ୟ— ରାଗ ମୋହନା, ତାଳ ଏକତାଳି)
ଚାହିଁ କି ନାହିଁ କେହି ମୋହନ ହାସ ଗୋ
କେହି ତା ମନ୍ଦହାସ
କାହିଁକି ଏକା ମୋତେ ଏ ପରିହାସ । ଘୋଷା ।
କେଉଁ ସତୀ ସେ ପୁଟ
ଭେଦନେ ଅଛି ନଟ
-ବର ସ୍ନେହୁଁ ନିପଟ ହୋଇ ନିରାଶ । ୧ ।
ଡାକ ତ ସେ ଯୋଷାକୁ
କହୁ କାହା ନାସାକୁ
ବାଜିନାହିଁ ସେ ବନମାଳିକା ବାସ । ୨ ।
ଲୋଡ଼ି ଶ୍ୟାମ ପ୍ରୀତିକି
ଘଟକ ଯୁବତୀକି
କେ କହୁ ନାହିଁ ଧରି ଦଶନେ ଘାସ । ୩ ।
ତୋ ସ୍ନେହୁଁ ନିଶୀଥରେ
ବନଦୁର୍ଗ ପଥରେ
ଗତାଗତରୁ ଥିବ ପଦେ ପରାସ । ୪ ।
ଡାକୁ ଯାହା ମୁରଲୀ
ସ୍ୱାମୀକି ପେଲି ଠେଲି
ଧାବନବଶେ ଖସେ ନିତମ୍ବ ବାସ । ୫ ।
ଶ୍ରୀ ଜଗଦ୍ଦେବ ଭଣେ
ରାଧାବାଣୀ ଶ୍ରବଣେ
ଆଳୀଏ ହସି ଦେଲେ ଅଙ୍କ ନିବାସ । ୬ ।