(ଶ୍ରୀଚନ୍ଦନ— ଆଡ଼ତାଳି)
ଚାହିଁ ଶ୍ୟାମ ମୋହନ ମୂରତି ସେ ରସବତୀ । ଘୋଷା ।
ଲାଜକୁ ପକାଇ ପଛକୁ ସକଳେ
ଚଞ୍ଚଳେକ୍ଷଣୀଏ ସେକ୍ଷଣି ଚଞ୍ଚଳେ
ନେତ୍ର ନୀଳୋତ୍ପଳ ମାଳା ଏକାବେଳେ
ମଣ୍ଡିଲେ ତେଜି ଧରତୀ ସେ । ୧ ।
ଦୂରୁ ଭୂରୁ ନଚା ମୁରୁକିହସାରେ
ମୂରୁଛିଲେ କୁଳଶୀଳ ସ୍ୱଇଚ୍ଛାରେ
ଘନରସ ବାଞ୍ଛା ଚାତକୀ ପରିରେ
ହୋଇଲେ ତୃଷା ଆରତି ସେ । ୨ ।
ସେ ବକ୍ର ଚାହାଣୀ ନକ୍ର କି ହୋଇଲା
ନକ୍ରପରି ଦମ୍ଭଚକ୍ରକୁ ହାଣିଲା
ଯେ ଥିଲେ ବିବେକ ସକଳ ଭାସିଲା
ପୀରତି କଲେ କୀରତି ସେ । ୩ ।
ବଶୀକରଣ ଗୁଣ ନେତ୍ର କୋଣରେ
ବସିଛି ସ୍ତମ୍ଭନ ମାଧୁର୍ଯ୍ୟ ଗୁଣରେ
ବସିଛି ଉଚ୍ଚାଟ ରସିକପଣରେ
ମୋହନ ପତିବରତି ସେ । ୪ ।
ମହା ମହୋତ୍ସବେ ଶ୍ରୀଚନ୍ଦନ ଭାଷେ
ମହାରଜତାଙ୍ଗୀ ମୋହନ ପାରୁଶେ
ସୁରଙ୍ଗ ଅଧରେ ମନ୍ଦ ମନ୍ଦ ହାସେ
ଭାଷିଲେ ଶ୍ୟାମ ଭାରତୀ ସେ । ୫ ।