(ଶ୍ରୀଚନ୍ଦନ— ଯତି)
ଚନ୍ଦନଲାଗି ସମୟେ ଚିନ୍ତ ଚିନ୍ତାମଣିକି । ଘୋଷା ।
ସୁବେଶର ଲାଗି ଶେଷ ଲାଗି ହୋଇ ଝୀନବାସ
କଟୀରେ ସୁବର୍ଣ୍ଣ ଝୁମ୍ପା ଆହା କେଡ଼େ ଠାଣିକି । ୧ ।
ତିନି ବାଡ଼େ ତିନି ଲୋକ ସେବକ ପଶୁପାଳକ
ରତ୍ନ ସିଂହାସନେ ଉଭା ଯୋଡ଼ି ବେନି ପାଣିକି । ୨ ।
ଚନ୍ଦନ ସଂସ୍କାର ସାରି ପ୍ରଭୁ ଅଙ୍ଗେ ଲାଗି କରି
ହରି ଭଦ୍ରା ସୁଦର୍ଶନ କମଳା ଘରଣୀଙ୍କି । ୪ ।
ହଡ଼ପ ନାୟକ ରହି ବିଡ଼ିଆ ପତ୍ରକୁ ବହି
କରାଇ ମଣୋହି ତହିଁ କମ୍ବୁ ଚକ୍ର ପାଣିଙ୍କି । ୪ ।
ଡାକଇ ଖୁଣ୍ଟିଆ ଦ୍ୱିଜ ମଣିମା ଭୋ ଦେବରାଜ
ଅଖିଳ ବ୍ରହ୍ମାଣ୍ଡନାଥ ପ୍ରଭୁ ମନ ଜାଣିକି । ୫ ।
ନିଜ ନିଜ ଗୁଣାବଳୀ ବୀଣା ନାଦେ କୁତୂହଳୀ
ପଳାଇ ଦୁରିତ ପାପ ପ୍ରଭୁ ମନ ଜାଣି କି । ୬ ।
ସେ କାଳେ କଳା ଶ୍ରୀମୁଖ ଶୁଣନ୍ତି ସକଳ ଦୁଃଖ
ଦର୍ଶନେ ପ୍ରସନ୍ନ ହୋଇ ରଖ ଦୁଃଖୀ ଶ୍ରେଣୀକି । ୭ ।
ଆର୍ତ୍ତେ ଶ୍ରୀଚନ୍ଦନ ଭାଷେ ଚିନ୍ତାବଳୀ ମଧ୍ୟେ ଭାସେ
କରୁଣା ନାବେ ବସାଇ କୂଳେ ରଖ ଆଣିକି । ୮ ।