(କବିସୂର୍ଯ୍ୟ— ରାଗ ଆଶାବରୀ, ତାଳ ତ୍ରିପଟା)
ଚନ୍ଦ୍ରନିଶା ରେ
ଦେଲା ସୁନ୍ଦରୀମଣି ମହେନ୍ଦ୍ରଭୂତି ମୋରେ । ଘୋଷା ।
ଫୁଲବନେ କେଳିସର କୂଳେ
ନବ ସଙ୍କେତ କଙ୍କେଳିମୂଳେ
ଶେଯ ସାଜି ନାନା ପୁଷ୍ପଦଳେ
ବସିଥିଲି ସେ ରମ୍ଭୋରୁ ସମ୍ଭୋଗ ଆଶାରେ । ୧ ।
ଏ ସମୟେ ମୋ ଜୀବନଧନ
ଘେନି ଘନ ସର୍ବାଙ୍ଗ ଚନ୍ଦନ
ତେଜି ବାଜିବା ମଣ୍ଡନମାନ
ବିଜେ କଲା ମଲ୍ଲୀଗଭା ଭୂଷିତ ଖୋଷାରେ । ୨ ।
ଶଙ୍ଖକଣ୍ଠୀକି ମୁଁ ଦେଖିକରି
ରଙ୍କ ରତନ ଲଭିଲା ପରି
ଅଙ୍କପର୍ଯ୍ୟଙ୍କେ ବସନ୍ତେ ଧରି
ଗଲା ଅଙ୍ଗ ଅନଙ୍ଗ ମର୍ଦ୍ଦିବା ଦୁର୍ଦ୍ଦଶାରେ । ୩ ।
ଉରେ ଜମାଇ ଉରୋଜ କୁମ୍ଭ
କରୁ କରୁ ଗାଢ଼େ ପରିରମ୍ଭ
କଲି ସହସ୍ର ଚୁମ୍ବ ଆରମ୍ଭ
ମନ ବଳିଲା ନାହିଁ ପୀୟୂଷ ପ୍ରଶଂସାରେ । ୪ ।
ଫେଡ଼ୁ ଫେଡ଼ୁ ବାଳାବର ନୀବି
ଯେତେ ଭାବ ତା କି ବରନିବି
ବିବସନ କାଳେ ଯେଉଁ ଛବି
ଆଖି ଦେଖିଲା କେଉଁ ଭାଗ୍ୟରୁ ଏ ରସାରେ । ୫ ।
ଝୁମିଝୁମି କାମ ମଦ ଭୋଳେ
ଝୁଲୁଝୁଲୁ ନାସାଭୂଷା ଲୋଳେ
ଝଲଝଲ ଝଟକିଲା ବେଳେ
ଝିଙ୍କିନେଲା ସ୍ୱର୍ଗସୁଖ ମାର୍ଗକୁ ସୁସାରେ । ୬ ।
କହେ ଅଷ୍ଟଦୁର୍ଗ ହରିହୟ
ପରସ୍ପର ପ୍ରେମ ରସମୟ
ଜାତ ହେଲା ଯାହା ସେ ସମୟ
ଝରଝର ଅପୂରୁବ ରସ ବରଷାରେ । ୭ ।