(ଲୋକନାଥ ପଟ୍ଟନାୟକ— ରାଗ ସାବେରୀ, ତାଳ ଏକତାଳି)
ଛାଡ଼ିଦେ ରେ କାହ୍ନା ଯିବି ମୁଁ ଯମୁନା । ଘୋଷା ।
ଏ କି ବିବେକ ଇତର ଲୋକ
ମୋ ସଙ୍ଗେ ବାଦ କରୁ ସମ୍ବାଦ
(ପଡ଼ି)
ଗୋପଭୂପ ତୋ ବାପ ଜପ ତପ ଅମାପ
ସେ ବାପ ପୁଅ ତୁ ଅଟୁ ନିଷ୍ପାପ ସ୍ୱରୂପ
ଏ କି ନିକି ଉପଦ୍ରବ ପର ରମଣୀ ମେଳାପ । ୧ ।
ମୋ ଅଙ୍ଗ ଶୁଚି ଯାଅ ତୁ ଘୁଞ୍ଚି
ଛୁଅଁନା ମୋରେ ରହ ତୁ ଦୂରେ
(ପଡ଼ି)
ହରବର କରନା କୁହୁଡ଼ି ପହଁରନା
ଛାର ରମଣୀକି ତୋତେ ମରମରେ ବରନା
ସାରଙ୍ଗଧର ଅଧର ମୋର କର ଧରି କହନା । ୨ ।
ଶ୍ରୀମତୀ ରାଧା ତୋ ପାଦେ ପୂଜା
କଂସଟି ରାଜା ମୋ ପାଶୁ ଯା ଯା
(ପଡ଼ି)
ତୋତେ ମୋତେ ଧରିବେ ଧରି ନେଇ ସାରିବେ
ସାରିବେ ମହତ ମୋର ବନ୍ଦୀ କରିବେ ଅକ୍ରୂର
ଧରମ କରମ ଲାଜ ବୁଡ଼ିଯିବ କି ଏଥର । ୩ ।