Chhalabahinisa He Chhada

ଛଳବାହିନୀଶ ହେ ଛାଡ଼
(Kabisurjya— Raga Mukhari, Tala Tripata)
(କବିସୂର୍ଯ୍ୟ— ରାଗ ମୁଖାରୀ, ତାଳ ତ୍ରିପଟା)

Chha Patala — Kisorachandrananda Champu
ଛ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଛଳବାହିନୀଶ ହେ
ଛାଡ଼ ଏ ସାହସ ହେ । ଘୋଷା ।
ଛବି ତ ଆବିଳ ଦିଶେ
ଛପିବାରେ ଅଛି କି ସେ । ୧ ।
ଛଟା କାହା କଟାକ୍ଷର
ଛୁରୀ ହେଲା କି ବକ୍ଷର । ୨ ।
ଛେଲରୁ ତ ଚିନ୍ତା ବଳି
ଛାତିରେ ଗଲାଣି ଗଳି । ୩ ।
ଛୁଟିଯାଇ ବିଚେତନା
ଛଟପଟ ହେବ ସିନା । ୪ ।
ଛଣା ସୁଧା ପରି ଦିଶେ
ଛୁଇଁଦେଲେ ବିଷଟି ସେ । ୫ ।
ଛନ୍ଦି ମନ ତୁମ୍ଭ ଗୁଣେ
ଛ ଦୁଇ ଦୁର୍ଗେଶ ଭଣେ । ୬ ।