(କବିସୂର୍ଯ୍ୟ— ରାଗ ସୁରଠ, ତାଳ ଏକତାଳି)
ଛି ଛି ପର ପୀରତି
କିଛି ନ ରଖଇ ମତି ମା । ଘୋଷା ।
ଦାଉ ଘେନିଣ ତା ଗୁରୁଜନଙ୍କର
ଯାଉ ପଛେ ଜାତି ରୀତି ମା
ସ୍ନେହରେ ଶ୍ରୀମୁଖ ଦେଖିଦେଲା ଯାଏ
ଦେହରେ କି ଥାଏ ଗତି ମା । ୧ ।
ଭାଜି ହୋଇଯାଏ ତା ବିନୁ ତନୁଟି
ବାଜି ବିରହାଗ୍ନି ତାତି ମା
ରାଜି ନ ଥାଏ କି ତା ସଙ୍ଗ ସୁଖରେ
ଲାଜ ମିତ ହୁଏ କ୍ଷାତି ମା । ୨ ।
କହଇ ଅବଶ୍ୟ ଆସିବି ବୋଲି ମୁଁ
ରହଇ ଇତରେ ମାତି ମା
ଦାସୀ ପରି ଅନୁସରି ବସୁ ଆସି
ପାହିଯାଏ ସିନା ରାତି ମା । ୩ ।
ମନୁ ତେଜି ଦିନୁ ଦିନୁ ବଳିବାର
ଆନ ନାହିଁଟି ସୁମତି ମା
ଆଖରକୁ ଫଳ ମଦନ ଶରକୁ
ଲାଖ କରିବାର ଛାତି ମା । ୪ ।
ବସଇ ବସୁଧା ତଳ ତେଜି ଗଜ
-ଦନ୍ତ ପଲଙ୍କ ସୁପାତି ମା
ଦଶା ହୋଇଯାଏ ଅତି ବିପରୀତ
ମଶା ହୋଇଯାଏ ହାତୀ ମା । ୫ ।
ଏ କାହାକୁ ଜଣା ଟେକାଏ ମାରଣା
ମଣ୍ଡଳେ ହୋଇବ ଖ୍ୟାତି ମା
ସହି ତୁ ଅଇଲୁ ପଦେ ନ କହିଲୁ
ବୋଲେ ବସୁଦୁର୍ଗପତି ମା । ୬ ।