(ବ୍ରଜନାଥ ବଡ଼ଜେନା)
ଚିତ୍ତ ଚିନ୍ତ ଜଗନ୍ନାଥ କଳା ମୁଖକୁ
ପାଇବୁ ପରମାନନ୍ଦ ସୁଖକୁ ରେ । ଘୋଷା ।
ଅରୁଣ ରଙ୍ଗ ଅଧର ଆହା କେଡ଼େ ମନୋହର
ହସୁଥିଲା ପ୍ରାୟେ ଦିଶେ ପାଖକୁ ରେ । ୧ ।
ପ୍ରବଳ ବିପୁଳ ବାହା ଟେକିବା ଭଙ୍ଗୀକି ଚାହାଁ
ଯାହା ତଳେ ରଖନ୍ତି ଅରକ୍ଷକୁ ରେ । ୨ ।
ସୁନିଶ୍ଚଳ ଚକା ଆଖି ଚାହିଁଲେ କରି ନିରେଖି
ନ ଯିବୁ ଯମଦଣ୍ଡ ପାଖକୁ ରେ । ୩ ।
କରୁଣାରେ ପରିପୂର୍ଣ୍ଣ ଢାଳେ ପଙ୍କଜ ନୟନ
ତାରୁଛନ୍ତି ପାପୀ ଲକ୍ଷ ଲକ୍ଷକୁ ରେ । ୪ ।
ଅଟନ୍ତି କି ଭାବଗ୍ରାହୀ ଶ୍ରୀବତ୍ସ ପାଦକୁ ବହି
ଅଛନ୍ତି ଅନାଉ କିନା ବକ୍ଷକୁ ରେ । ୫ ।
କର୍ଣ୍ଣେ ମକର କୁଣ୍ଡଳ ଝଲକେ ଗଣ୍ଡ ମଣ୍ଡଳ
ନାହିଁ ତ ଉପମା ଦେବା ଲକ୍ଷ୍ୟକୁ ରେ । ୬ ।
କପୋଳେ ରତନ ଚିତା ଦେଖି ଧରି ନୋହେ ଚେତା
ତଥି ପରେ ହେମ ରାହୁରେଖକୁ ରେ । ୭ ।
ବ୍ରଜନାଥ ବୋଲେ କାଳଦେବତା ନ ଧରୁଁ ବାଳ
କରିଥା କରୁଣାସିନ୍ଧୁ ପକ୍ଷକୁ ରେ । ୮ ।