Dara Nahin Ki He

ଡର ନାହିଁକି ହେ
(Kabisurjya— Raga Bilahari, Tala Khemata)
(କବିସୂର୍ଯ୍ୟ— ରାଗ ବିଲାହାରୀ, ତାଳ ଖେମଟା)

Ḍa Patala — Kisorachandrananda Champu
ଡ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଡର ନାହିଁକି ହେ ପର ତରୁଣୀ ହରଣୁ
ଡୋର ଲାଗି ଘେର ପଡ଼ିବ ଯେ ହେବ
ଚୋର ପରି ଆଚରଣୁ । ଘୋଷା ।

ଡୋଳା ପ୍ରତିମାକୁ ପରାୟେ ତୁମ୍ଭଙ୍କୁ
ଯଶୋଦା ଅଛନ୍ତି ପାଳି
ଡୁବିବଟି ଧନ କେଳିକି ମୋହନ
ଲୋଡ଼ୁଛ ଯେ କୁଳପାଳି । ୧ ।

ଡକା ଦେବା ଦିନେ ଅରିଷ୍ଟେ ଉତ୍ତାନେ
ଦେଖିଛୁ ଶକଟ ଦଶା
ଡାକିମଧ୍ୟମାକୁ ଡାକି ଆଣିବାକୁ
ଏଠାକୁ କାହା ଭରସା । ୨ ।

ଡବ ଡବ ବାରି ନିଃସରିବ ଚାରି
ପହରେ ନୟନ ଯୁଗୁଁ
ଡହ ଡହ ହେବ ମୃଦୁ ଅବୟବ
ଶ୍ୟାମ ଶ୍ରୀଅଙ୍ଗୁଟି ଭୋଗୁ । ୩ ।

ଡାକି ତ ଜାଣ ମୋହନ ବଂଶୀରବେ
ବିହର ସୁଖେ ଏ ବନେ
ଡୁଇଁ ହେବୁଁ ସିନା ଆମ୍ଭେ ଫଳ ବିନା
ନ ପଡ଼ୁ ତା ଆମ୍ଭ କାନେ । ୪ ।

ଡାଳିମ୍ବ ମଞ୍ଜି ମଞ୍ଜୁଳ ଦଶନା ସେ
ଖେଳୁଥାଉ ତୁମ୍ଭ ତୁଲେ
ଡେଉଁଥାଅ ବନଯାକ ତୁମ୍ଭ ମନ
ଶ୍ରୀ ହରିଚନ୍ଦନ ବୋଲେ । ୫ ।