(ବ୍ରଜନାଥ ବଡ଼ଜେନା)
ଦୀନ ଜନ ବନ୍ଧୁ ଆରତତ୍ରାଣ
ଦଶ ଚାରି ଭୁବନର ଶରଣ
ଦିନକୁ ଦିନ ଦୁଃଖ ହେଲା ଭାରି
ଦୀନ ଜନମାନେ ଛାଡ଼ିଲେ ହୁରି
ଦୟା ଏଣୁ ତେଜି
ଦାରୁଣ ହେଲ କି ଶ୍ରବଣ ବୁଜି । ୧ ।
ଦେଇ ଦେଇ ହେଲା ଭଣ୍ଡାର ଶୂନ୍ୟ
ଦୁଆର ନ ଛାଡ଼ିଲେ ଦୀନ ଜନ
ଦଇବେ ତ ଦୁଃଖୀ ହେଲେ ପ୍ରବଳ
ଦେବାକୁ ଯେଣୁ ନ ପାଇଲା ବଳ
ଦୟା ଏଣୁ ତେଜି
ଦାରୁଣ ହେଲ କି ଶ୍ରବଣ ବୁଜି । ୨ ।
ଦ୍ରୋହ କଲା ବା କମଳା ନାରୀଙ୍କି
ଦେଲେ ସେ ଭଣ୍ଡାର ଦ୍ୱାର ପାରିକି
ଦିନେ ତୁମ୍ଭଙ୍କୁ ନ ମିଳିଲା ବେଳେ
ଦେବ କାହୁଁ ବା ମାଗିଲେ କବଳେ
ଦୟା ଏଣୁ ତେଜି
ଦାରୁଣ ହେଲ କି ଶ୍ରବଣ ବୁଜି । ୩ ।
ଦୂରେ ଥାଇ ଗଜ ଡାକ ଶୁଣିଲ
ଦୁଷ୍ଟ କୁମ୍ଭୀରକୁ ଚକ୍ରେ ହାଣିଲ
ଦ୍ରୌପଦୀ ଆରତ ଫେଡ଼ିଲ ଯେଣୁ
ଦୁଃସହ ଭାରା ହେଲା ଅବା ତେଣୁ
ଦୟା ଏଣୁ ତେଜି
ଦାରୁଣ ହେଲ କି ଶ୍ରବଣ ବୁଜି । ୪ ।
ଦ୍ୱିସପ୍ତ ଲୋକର ମୋ ପରି ଯେଣୁ
ଦୁଃଖୀ ନ ଦେଖି ଭୟ କଲ ତେଣୁ
ଦଇବେ ଦୀନରେ ଅଗ୍ରଣୀ ମୁଁ ତ
ଦିବା ରାତ୍ରେ ଭାଳେ ବ୍ରଜନାଥ
ଦୟା ଏଣୁ ତେଜି
ଦାରୁଣ ହେଲ କି ଶ୍ରବଣ ବୁଜି । ୫ ।