(କବିସୂର୍ଯ୍ୟ— ରାଗ ଶୁଦ୍ଧଦେଶୀ, ତାଳ ତ୍ରିପଟା)
ଦେବି ମୁଁ ପରାଣକୁ ବରଜି ଗୋ
ବୁଝ ତୁ ଥରେ ଶ୍ୟାମ ମରଜି ଗୋ । ଘୋଷା ।
ପିଇ ଜୀଇବି ବୋଲି କେତେ କଷ୍ଟରେ ଥିଲି
ପୀୟୂଷ ରସପାନ ସରଜି ଗୋ
ସହି ମୋତେ ନ ସହିପାରିଟି ତହିଁ ନେଇ
କେ ଦେଲା କାଳକୂଟ ପରଜି ଗୋ । ୧ ।
ଧନ ଜୀବନଚୟ ପ୍ରିୟବାନ୍ଧବ ଭୟ
ଜାତି ମହତ ଆଶା ବରଜି ଗୋ
ସଜନୀ କୋଟିକାମ ବିଗ୍ରହଜିଣା ଶ୍ୟାମ
ସଙ୍ଗରେ ଥିଲି ପ୍ରେମ ଅରଜି ଗୋ । ୨ ।
ମୋ ତହୁଁ ରୂପବତୀ କେଉଁ ବ୍ରଜଯୁବତୀ
ଧନ୍ୟ ତା ପ୍ରୀତିରେ ସେ ଭରଜି ଗୋ
ଫିଟାଇ ନେଲା ମନ ମୋହଠାରୁ ମୋହନ
ସିଇଁବାଠାରେ ସ୍ମରଦରଜି ଗୋ । ୩ ।
ଚଞ୍ଚଳ ବିଦ୍ୟୁଲେଖା ସହିତେ ଦେଇ ଦେଖା
ବିରହୀ ସମୁଦାୟ ତରଜି ଗୋ
ଶ୍ରୀ ଜଗଦ୍ଦେବ ଦୁଃଖ କହେ ସଜନୀ ଦେଖ
ଘୋଟିଆସୁଛି ଘନ ଗରଜି ଗୋ । ୪ ।