(ବନ୍ଧୁ— ରାଗ କାମୋଦୀ, ତାଳ ଆଡ଼ତାଳି)
ମନ ଶରଧାରେ ରାଧା ମାଧବ ଉଭା
ଦେଖ କୁଞ୍ଜ କେଡ଼େ ଶୋଭା । ଘୋଷା ।
କଳାଘନ କୋଳେ ଖେଳା କରେ ଲୋଳା ଚପଳା
ପ୍ରସରୁଛି ଧୀରେ ଧୀରେ ରୁଚିର ପ୍ରଭା । ୧ ।
ନିର୍ମଳ ନୀଳ ଆକାଶ ଆସନରେ ପ୍ରକାଶ
ହାଟକ ଚିଟକ ରେଖା ପରଖେ କିବା । ୨ ।
ସୁଷମା ସରସୀ ନୀରେ ଭାସି ଆସେ ବିଧିରେ
ଲଭି କିବା ପୂର୍ଣ୍ଣ ଶଶୀ ବିସ୍ତାରେ ଆଭା । ୩ ।
ବିମଳ କୋମଳ କାନ୍ତି ସେ ଯୁଗଳ ମୂରତି
ପାଶେ ଥାଉ ବନ୍ଧୁ ମତି ରଜନୀ ଦିବା । ୪ ।