(ବିକ୍ରମଦେବ ବର୍ମ୍ମା— ରାଗ ଘଣ୍ଟାରବ, ତାଳ ଆଦିତାଳ)
ଦେଖ ଶ୍ୟାମ ପ୍ରେମ ରୀତି ରେ ସୁମତି । ଘୋଷା ।
ନିକୁଞ୍ଜେ ଜଗାଇ ନ ଆସିଲେ ସହି
ପାଇଲାଣି ଏବେ ରାତିରେ । ୧ ।
ସମର୍ପି ଅନଙ୍ଗ ବାଣକୁ ମୋ ଅଙ୍ଗ
ରହିଲେ କାହାରେ ମାତିରେ । ୨ ।
କାହା ସ୍ନେହ ପାଶେ ବନ୍ଧା ହୋଇଣ ସେ
ପାଶୋରିଲେ ମୋର ପ୍ରୀତିରେ । ୩ ।
ଗନ୍ଧ ସୁମମାଳା ପାନ ବୃଥା ହେଲା
ରାତି ହୋଇ ଶିବରାତିରେ । ୪ ।
ମୋର ବେଶ ଶେଯ ସଖୀ ବ୍ୟର୍ଥ ଆଜ
ଯେମନ୍ତେ ବନ ମାଳତୀରେ । ୫ ।
ଶ୍ରୀ ରାଜେନ୍ଦ୍ର ଦେବୀ ଚିତ୍ତକଞ୍ଜ ରବି
ହରି ଶଠକୁଳ ପତିରେ । ୬ ।