(ବେଣୁଧର— ରାଗ କେଦାର କାମୋଦୀ, ତାଳ ତ୍ରିପଟା)
ଦେଖିଲେ କାହିଁକି ଲାଜ ମାଡ଼େ ସହି
ନ ଦେଖିଲେ ଝୁରି ମରୁଥାଇ
କି ମନ୍ତ୍ର କରିଛି କି ଯନ୍ତ୍ର କରିଛି
ସେ କାଳିଆ ନନ୍ଦର କହ୍ନାଇ । ଘୋଷା ।
ଯମୁନା ପାଣିକି ମନା ହେଲ ମୋତେ
ଟିକିଏ ତାଙ୍କୁ ଦେବାରୁ ଚାହିଁ
ଫଟା କପାଳରେ ଏହା ଲେଖାଥିଲା
କେ କେତେ ଯମୁନା ଯାଉ ନାହିଁ । ୧ ।
ପାଟକ କୁଳରେ ହଟା ବସିଅଛି
କଳଙ୍କିନୀ ହେଲା ବୋଲି ରାଇ
କୁଳବଧୂ ହୋଇ କେ ଘରେ ବସିଛି
ବଂଶୀ ସ୍ୱନେ କେ ନୋହିଛି ବାଇ । ୨ ।
ସହି ସହି ଛାତି ପଥର କଲିଣି
କହିଲେ କେ ଦୁଃଖ ନେବ ସହି
ରହିଅଛି ସିନା କରମ ଆଦରି
ଅହି ଗରଳ ଦିଅନ୍ତି ଖାଇ । ୩ ।
ସଂସାରଯାକରେ ଖୋଜିଲେ ସଜନୀ
ମୋ ପରି ଦୁଃଖୀ କେ ଅଛି କାହିଁ
ସେହି ବନମାଳୀ ପାଦପଦ୍ମେ ଭାଳି
ବେଣୁଧର ଜୀବ ଯାଉ ନାହିଁ । ୪ ।