(କବିସୂର୍ଯ୍ୟ— ରାଗ ପଞ୍ଚମ ବରାଡ଼ି, ତାଳ ତ୍ରିପଟା)
ଧନ୍ୟ ହେ ନବକିଶୋର ସତୀ ଧୃତି ଧନ ଚୋର
ନିଖିଳ ନାଗର ଶିରୋମଣି
ତୁମ୍ଭ ସଦୟ ମାନସ କୁଳିଶରୁ କରକଶ
ବୋଲି ନ ଥିବାରୁ ଆମ୍ଭେ ଜାଣି ହେ ଶ୍ୟାମବନ୍ଧୁ
ଆମ୍ଭ ସଖୀ ଲଭିଲା କି ଦଶା
ଦମ୍ଭେ ଉଭା ହେବା ନାହିଁ ଆଶା
ଦେଲେ ତରୁଣ କେଶରୀ କୋଳେ କୁରଙ୍ଗୀ କିଶୋରୀ
ଦିଶଇ କି ବଞ୍ଚିବା ଭରସା ହେ । ୧ ।
ତୂଳି ତଳପ ଶେଯାଇ ଦେବାର କୋମଳ ଜାଇ
ଦଳ ଯାହା ଅଙ୍ଗେ ବସେ ବୁଡ଼ି
ମରକତ ଅରଗଳ ବଳିଷ୍ଠ ବାହୁ ଯୁଗଳ
ଲଗାଇ କେଡ଼େ ନିବିଡ଼େ ଭିଡ଼ି ହେ ଶ୍ୟାମବନ୍ଧୁ
କି ଚଞ୍ଚଳ ଭାବ ଥିଲା କାଲି
ବାଜି ତୁମ୍ଭ ଅଙ୍ଗସଙ୍ଗ ଭାଲି
ଭଗ୍ନ ଚକ୍ର ମନମଥ ବିଜୟୀ ମଙ୍ଗଳ ରଥ
ଗତି ରୀତି ଚୋରାଇଛି ଚାଲି ହେ । ୨ ।
ଯେଉଁ ଅଧର ପଲ୍ଲବେ ଲେଖାଇ ନ ଦିଏ ଲବେ
ମୃଗମଦ ପଙ୍କେ ଲୀଳାଭୃଙ୍ଗୀ
ତୁମ୍ଭ ମହିମାରୁ ଅଙ୍ଗୀକାର କରିଛି ଶୁଭାଙ୍ଗୀ
ତହିଁ ଶୁଆଖିଆ ବିମ୍ବ ଭଙ୍ଗୀ ହେ ଶ୍ୟାମବନ୍ଧୁ
କିଶୋରୀକି କରି କଲବଲ
ତୁମ୍ଭ ସୁଖ ତୁମ୍ଭେ ଲୋଡ଼ା କଲ
ହେମ ନବନୀତ ବଲ୍ଲୀ କେହି ସହିବଟି ବୋଲି
ହୃଦୟରେ ଦୟା ନ ବହିଲ ହେ । ୩ ।
ମହା ମହୀଧର ଧରି କଲା ଆତପତ୍ର ପରି
ଯେଉଁ କର ସେ ମୃଦୁ ବୟସେ
ସେ କରରେ ଯେବେ ଘନକେଶା ସମର୍ପିଲା ସ୍ତନ
କି ବିଚିତ୍ର ଦଳାଦଳି ରସେ ହେ ଶ୍ୟାମବନ୍ଧୁ
ଫିଟି ତୁଟି ଯାଇଛି କାଞ୍ଚଲି
ସଞ୍ଚାଣର ଚଞ୍ଚୁପୁଟ ଗଳି
ଲୁଳିଯିବା ଚକ୍ରବାକ ମିଥୁନ ମାଧୁରୀଯାକ
ବାଳା ପୟୋଧରେ କରେ କେଳି ହେ । ୪ ।
ଅନ୍ୟାୟ ତିମିର ହଂସ ଭୋଜବଂଶ ଅବତଂସ
କଂସ ଶାସୁଅଛି ବସୁମତୀ
ତୁମ୍ଭେ ଧନବନ୍ତ ଘର କୁମର ହୋଇ ତୁମ୍ଭର
ମାନସେ ନୋହିଲା ଲବେ ଭୀତି ହେ ଶ୍ୟାମବନ୍ଧୁ
କିଶୋରୀକି କରି ବଟାବଟି
ଅସମ୍ଭବ ଭାବେ ହଟାହଟି
ଫିଟାଇ ନିତମ୍ବପେଟୀ ନିବିଡ଼ ନୀବିକବାଟି
ମଦନ ମନ୍ଦିର କଲ ଲୁଟି ହେ । ୫ ।
ଥରକେ ତ ଜଣାଗଲା ଏଣିକି କି ରୂପେ ଭଲା
ପାଇବ ମୋ ପ୍ରିୟସଖୀ ପାଶ
ବୁଝିବା ତୁମ୍ଭର ବଂଶୀ କିପରି ବିବେକ ଧ୍ୱଂସୀ
କେମନ୍ତ ମୋହନ ମନ୍ଦହାସ ହେ ଶ୍ୟାମବନ୍ଧୁ
କେଡ଼େ ତୁମ୍ଭ ବିଚକ୍ଷଣ ଭାବ
ସବୁ ତ ଏଥର ଜଣାଯିବ
ବୋଲେ ମହୀପତି ଶ୍ରେଣୀ ମୁକୁଟ ମସ୍ତକମଣି
ଗଜପତି ଶ୍ରୀ ମୁକୁନ୍ଦଦେବ ହେ । ୬ ।