(ବନମାଳୀ— ରାଗ ଶଙ୍କରାଭରଣ, ତାଳ ଖେମଟା)
ଦୀନବନ୍ଧୁ ଦଇତାରି ଦୁଃଖ ନ ଗଲା ମୋହରି
ହେଲ କି ନିଷ୍ଠୁର ଚିତ୍ତ ନୀଳାଚଳେ ବିଜେ କରି । ଘୋଷା ।
ଲକ୍ଷେ ଯୋଜନରେ ଗଜ ଡାକିଲା ହେ ଦେବରାଜ
ତା ଡାକକୁ ଚତୁର୍ଭୁଜ ଶୁଣିଛ ଶ୍ରବଣ ଡେରି ।୧।
କୁରୁପତି ସଭା ତଳେ ଦ୍ରୌପଦୀ ଆତଙ୍କ କାଳେ
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜାରୁ କରିଛ ପାରି ।୨।
ବଳବନ୍ତ ପ୍ରଭୁ ବୋଲି ବଳେ ମୁଁ ଯେ ଆଶ୍ରା କଲି
ଦେଖୁ ଦେଖୁ ଭାସିଗଲି କେ ଏଥୁ କରିବ ପାରି ।୩।
ରଖ ବା ନ ରଖ ମୋତେ ଶରଣ ତୋ ପାଦଗତେ
ବୋଲେ ବନମାଳୀ ଗୀତେ ବସିଅଛି ଧ୍ୟାନ କରି ।୪।