(ବନମାଳୀ— ରାଗ କାନଡ଼ା, ତାଳ ତ୍ରିପଟା)
ଦିନୁ ଦିନୁ ନନ୍ଦତନୟ ଗୋ
ନବ ନବ ପରା ମିତ
ନିତି ଦେଖୁଥିଲେ ପ୍ରୀତି ବଢ଼ୁଥାଇ
ତୃପତି ନୁହଇ ଚିତ୍ତ । ଘୋଷା ।
ହାସରେ ସଖି ଭାଷରେ ତାର
ପୀୟୂଷ ଯେ ଥାଇ ପୂରି
ଶ୍ରୁତିରେ ପଡ଼ି ଧୃତି ନାଶଇ
ବୃତ୍ତି ତେଜଇ ନାରୀ । ୧ ।
ଖଞ୍ଜନ ମୀନ ଗଞ୍ଜନ ମୃଗ
କଞ୍ଜ ନୟନ ତାର
ଛାତିରେ ପଡ଼ି କାତି ମାରଇ
ଜାତି ମଦନ ଶର । ୨ ।
ଛାଡ଼ି ସବୁ ସଜାଡ଼ିଲା ତନୁ
କେତେ କାଳ ବସି ବିହି
କାମ ହୋଇଲେ ଝାମ ହୋଇବ
ଶ୍ୟାମ ମୂରତି ଚାହିଁ । ୩ ।
ବନମାଳୀ ବୋଲେ ମନ ମିଳିଗଲେ
ବିଶୋରି ନ ପାରେ ଆଖି
ଯେତେ ଚିତ୍ତେ ଭାବୁଥିଲେ ପୁଣି
କେତେ ନୂଆ ନୂଆ ଦିଶେ ସଖି । ୪ ।