(କବିସୂର୍ଯ୍ୟ— ରାଗ କଲ୍ୟାଣ, ତାଳ ରୂପକ)
ଦୋଷ ବିନା ମୋ ନବୀନା
ରୋଷ କିମ୍ପାଇଁ ବହିଲା ରେ । ଘୋଷା ।
ଗେଲାଇ ନାଗରୀମେଳେ
ଗଜରାଜଗତି ଗଲାବେଳେ
ମୋ ଆଡ଼କୁ ଫେରି ଥରେ
ହେଲେ ମୋତେ ନ ଚାହିଁଲା ରେ । ୧ ।
ମନୋହର ବେଶ ପାଇଁ
ସୁମନସ ଖୋଜି ଦେଲି ନେଇ
ତା ନ ଘେନି ଜୀବଧନୀ
ମଥା ପୋତିରହିଲା ରେ । ୨ ।
ଦିନେ ବସି ସଖୀ ସଙ୍ଗେ
ହରୁଥିଲା କାଳ ନାନାରଙ୍ଗେ
ସେ ସମୟେ ମୋତେ ଦେଖି
ହସି ଉଭା ତ ନୋହିଲା ରେ । ୩ ।
ତା ପ୍ରୀତି ଲଭିବା ଦିନୁ
ଲବେ ନ ମାନଇ ଫୁଲଧନୁ
ସେ କଷଣ ସହ ବୋଲି
ବିହି ଏହା କି ଲିହିଲା ରେ । ୪ ।
ନ ସହି ମୋର ତ ଶିରୀ
କି ବିଚାରି ସେ ତ କୋପ କରି
ମୋଦେ ପଞ୍ଚଶରେ ରଚି
ତାକୁ କି ଅବା କହିଲା ରେ । ୫ ।
ବୋଲେ ଅଷ୍ଟଦୁର୍ଗନାଥ
କି କରିବି ନ ଦିଶଇ ପଥ
ଚାହୁଁ ଚାହୁଁ ଦଶଦିଶ
କାମ ଅନ୍ଧାର ପିହିଲା ରେ । ୬ ।