(କବିସୂର୍ଯ୍ୟ— ରାଗ ଭାଟିଆରୀ, ତାଳ ଏକତାଳି)
Da Patala — Kisorachandrananda Champu
ଦ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
ଆରେ ଦୁଃଖୀ ଧନ
ଦମ୍ଭ ଦେଖିବାକୁ ସିନା କଲି ଛନ
ଦୁଃଖମୟ ନ କର ସରସ ମନ । ଘୋଷା ।
ଦୂରୁ ମୁଁ ଯିବାର ଜାଣି ହରି
ଦରିଦ୍ର ନିଧି ଲଭିଲା ପରି
ଦ୍ୱିଗୁଣ ଆଦରେ ପ୍ରମୋଦ ନଦରେ
ମଜ୍ଜି ଘେନିଗଲେ କରଧରି । ୧ ।
ଦୟାଜରଜର କରି ଚିତ୍ତ
ଦନ୍ତବାସେ ରଖି ଦରସ୍ମିତ
ଦଶବାର ଅନାମୟ ମୋତେ ଘେନା
-ଘେନି କରି ପଚାରିଲେ ମିତ । ୨ ।
ଦେଖିଲି ଯାହା ଶ୍ରୀଅଙ୍ଗ ଦ୍ୟୂତି
ଦଳି ହୋଇଗଲା ମୋର ଛାତି
ଦ୍ୱିତୀୟାର ଶଶିଲେଖା ପରି ଦିଶି
-ଗଲେଣି ସେ ଇନ୍ଦ୍ରନୀଳହାତୀ । ୩ ।
ଦୁର୍ବାର ତୋ ନେତ୍ରାଞ୍ଚଳ ଶର
ଦେବାରୁ ଦୁଃଖ ଦୁଃସହତର
ଦିବାଲା ହେବାର ଦେହ ମଜ୍ଜାସାର
ଜାଣି ଯା ହେଲା ମାନସ ମୋର । ୪ ।
ଦୁର୍ବଳ ସାଳସ ଦେଖି ଚାଲି
ଦୁରୂହରେ କିଛି ପଚାରିଲି
ଦୀର୍ଘ ତପତ ନାସାନିଳ ତେଜିଲେ
ଆହା ମରଇ ତ ବିଚାରିଲି । ୫ ।
ଦେବ ଦଇବ ତୋ ଅଭିମତ
ଦୂର କର ଦ୍ୱାପରକୁ ଚେତ/ମିତ
ଦବିଷ୍ଠ ଏ କଷ୍ଟଯାକ ହେବ ଅଷ୍ଟ
-ଦୁର୍ଗ ନାଥର ଏ ବିରଚିତ । ୬ ।