(ଉପେନ୍ଦ୍ର ଭଞ୍ଜ— ରାଗ ଶୁଦ୍ଧଦେଶୀ, ତାଳ ଯତି)
ଦୂତୀ କହିବୁ ଗୋ
ଚିତ୍ତଚୋରାଙ୍କୁ ଏତେକ
ଗତ ସ୍ନେହ ହରି ଗଲେ ଦୂର କରି
ଚିତ୍ତ ହୁଏ ଦକଦକ । ଘୋଷା ।
ମନ୍ଦର ବେନି ମୋ ଉରରେ ଥିବାରୁ
ପନ୍ଦର ପଡ଼ିଲା ଶିରେ
ମଗା ପ୍ରୀତି ଦଗା ଜାଣି ମୁଁ ନଥିଲି
ଏକ ଦେଲେ ମୋ ମୁଖରେ । ୧ ।
ଛବିଶ ପଦରେ କେଉଁ କାର୍ଯ୍ୟ ଅବା
ଦୁଇ ଯେବେ ହେଲା ଦୂର
ଅନ୍ତର ଆଠ ପରାୟେ ଏଣିକି ମୁଁ
ତିନି କରାଅ ସତ୍ୱର । ୨ ।
ଧବ ସେବା ଦିନୁଁ ନବଯୌବନକୁ
ତାଙ୍କୁ ଭୋଗ କରାଇଲି
ଦୁଇ ପତି ଅରି ଆୟତ୍ତରେ ମୁଁ ଯେ
କେଡ଼େ ଦଶାକୁ ଲଭିଲି । ୩ ।
ପଚାରିବୁ ଦୂତୀ ମୁଁ ପରା ତାଙ୍କର
ଏବେ କାହାର ହୋଇବି
ରସିକ ହୋଇଲେ ଏ ଭାବ ଜାଣିବେ
ଉପଇନ୍ଦ୍ର ଭଞ୍ଜ ଭାବି । ୪ ।